ଗୁଗୁଲ୍ ପାଳୁଛି ବିଶ୍ୱ ପୃଥିବୀ ଦିବସ , ଡୁଡୁଲ୍ ରେ ଦେଲା ବଡ଼ ବାର୍ତ୍ତା ..
1 min readଧରିତ୍ରୀ ପାଇଁ ଦିନଟିଏ । ଆଜି ବିଶ୍ୱ ପୃଥିବୀ ଦିବସ । ଜଳୁଛି ପୃଥିବୀ । ବୈଶାଖ୍ୟ ମାସ ଆରମ୍ଭ ନହେଉଣୁ ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଉଛନ୍ତି ଜୀବମଣ୍ଡଳ । ପ୍ରକୃତି ଯେମିତି ନିଜର ଅସ୍ତିତ୍ୱ ହରାଉଛି । ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଜଳବାୟୁ ସଙ୍କଟ । ଏବାବଦରେ ବିଶ୍ୱବାସୀଙ୍କୁ ସଚେତନ କରିବାକୁ ୧୯୭୦ ମସିହାରେ ଆମେରିକା ଠାରେ ବିଶ୍ୱ ପୃଥିବୀ ଦିବସ ପ୍ରତିଷ୍ଠା ହୋଇଥିଲା । ଏହାପରେ ପ୍ରତିବର୍ଷ ଏପ୍ରିଲ ୨୨ ତାରିଖକୁ ବିଶ୍ୱ ପୃଥିବୀ ଦିବସ ଭାବେ ପାଳନ କରାଯାଏ । ବର୍ତ୍ତମାନ ଜଳବାୟୁର ସୁରକ୍ଷା ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଛି । କାରଣ ବିଶ୍ୱତାପନ ପ୍ରକ୍ରିୟା ଫଳରେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘଟୁଛି । ଆମ ପୃଥିବୀର ପୂର୍ବର ସେହି ସୌନ୍ଦର୍ଯ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି । ସତେ ଯେମିତି ପ୍ରକୃତି ସହିତ ଶୀତଳ ଯୁଦ୍ଧ ଚାଲିଛି । ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱରେ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଆଉ ଠିକ୍ ସମୟରେ ଋତୁ ଆସୁନି ।
ଠିକ୍ ସମୟରେ ବର୍ଷା ହେଉନି, ଆଉ ଯେତେବେଳେ ବି ହେଉଛି କରା ରୂପ ନେଇ ଆସୁଛି । ଫଳରେ କେତେବେଳେ ମରୁଡି ତ କେତେବେଳେ ବନ୍ୟା ଭିତରେ ଛଟପଟ ହେଉଛି ମଣିଷ । ଏଥିପ୍ରତି ସମସ୍ତେ ଚିନ୍ତାଶୀଳ ହେବା ଉଚିତ୍ । କାରଣ ସମସ୍ତଙ୍କ ପାଇଁ ପୃଥିବୀ ମାଆ ହିଁ ଏକମାତ୍ର ବାସସ୍ଥାନ । ତେଣୁ ଧରିତ୍ରୀ ମାଆର ସୁରକ୍ଷା ଅତ୍ୟାନ୍ତ ଜରୁରୀ ଅଟେ । ବର୍ତ୍ତମାନ ବିଶ୍ୱର ୧୪୧ ଦେଶ ଏହି ଦିବସ ପାଳନ କରୁଛି । ପ୍ରତ୍ୟକ ବର୍ଷ ଗୁଗଲ ଏକ ଡୁଡୁଲ ପ୍ରସ୍ତୁତ କରି ପୃଥିବୀ ଦିବସ ପାଳନ କରିଥାଏ ।ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ଗୁଗଲ ଏକ ସ୍ୱତନ୍ତ୍ର ଡୁଡୁଲ ପ୍ରସ୍ତୁତ କରିଛି ଗ୍ରପୃଥିବୀ ଦିବସ ଉପଲକ୍ଷେ ଗୁଗଲ ପକ୍ଷରୁ ତିଆରି ହୋଇଥିବା ଡୁଡଲରେ ପୃଥିବୀର ପ୍ରାକୃତିକ ଦୃଶ୍ୟ ଦେଖାଇଛି । ଆଜିର ଦିନରେ ଜଳବାୟୁ ପରିବର୍ତ୍ତନ ନେଇ ଦୃଷ୍ଟି ଆକର୍ଷଣ କରାଯାଉଥିବା ବେଳେ ଠିକ ସମାନ ଢଙ୍ଗରେ ଡୁଡୁଲ ପ୍ରସ୍ତୁତ କରିଛି ଗୁଗଲ । ଏହା ବ୍ୟତୀତ ଏକ ସମୃଦ୍ଧ ଜୈବ ବିବିଧତାକୁ ଦର୍ଶାଇ ଏରିୟଲ ଫଟୋଗ୍ରାଫ ପ୍ରଦର୍ଶନ କରିଛି । ଯାହାକି ଭବିଷ୍ୟତ ପିଢି ପାଇଁ ପ୍ରକୃତିର ସଂରକ୍ଷଣକୁ ଗୁରୁତ୍ୱ ଦେଇଛି ।