ରାଜଧାନୀକୁ ପ୍ରଦୂଷଣରୁ ବଞ୍ଚାଇପାରିବ କୃତ୍ରିମ ବର୍ଷା , କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ଦିଲ୍ଲୀ ସରକାର…
1 min readପ୍ରଦୂଷଣକୁ ନେଇ ଏବେ ଉତ୍ତର ଭାରତର ଅନେକ ରାଜ୍ୟର ସ୍ଥିତି ଜଟିଳ ହୋଇପଡ଼ିଛି। ତେବେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଦିଲ୍ଲୀ ସ୍ଥିତି ସବୁଠୁ ଗମ୍ଭୀର ହୋଇପଡ଼ିଛି। ଭାରୀ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ଏବଂ ଏନ୍ସିଆର ବାୟୁମଣ୍ଡଳ ଏତେ ବିଷମୟ ହୋଇପଡ଼ିଛି ଯେ ଏଠାରେ ନିଶ୍ବାସ ନେବା କଷ୍ଟକର ହୋଇପଡ଼ିଛି। ଦୂଷିତ ବାୟୁ ସହିତ ଚାରିଆଡେ ଘନ କୁହୁଡ଼ି ଦିଲ୍ଲୀବାସୀଙ୍କ ଜୀବନଚର୍ଯ୍ୟାକୁ ଏପଟସେପଟ କରିଦେଇଛି।
ଏହାକୁ ନେଇ ଦିଲ୍ଲୀ ସରକାର ଏକପ୍ରକାର ଅସହାୟ ହୋଇପଡ଼ିଛନ୍ତି। ପ୍ରଦୂଷଣ ମାତ୍ରା ହ୍ରାସ କରିବାକୁ ଦିଲ୍ଲୀ ସମେତ ଏନସିଆରରେ କଟକଣା ଲାଗୁ କରାଯାଇଥିଲେ ମଧ୍ୟ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଇ ନାହିଁ। ଏଭଳି ସ୍ଥିତିରେ ଦିଲ୍ଲୀ ସରକାର କେବଳ କୃତ୍ରିମ ବର୍ଷାକୁ ଭରସା କରିଛନ୍ତି। କୃତ୍ରିମ ବର୍ଷା ଦ୍ବାରା ପ୍ରଦୂଷଣ ମାତ୍ରାକୁ କିଛି ପରିମାଣରେ ହ୍ରାସ କରାଇବା ଲକ୍ଷ୍ୟରେ ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।
ରାୟ କହିଛନ୍ତି ଯେ ବର୍ତ୍ତମାନ କେବଳ କୃତ୍ରିମ ବର୍ଷା ଦ୍ୱାରା ରାଜଧାନୀରେ ପ୍ରଦୂଷଣ ସ୍ତର ଏବଂ ବାୟୁର ଗୁଣବତ୍ତାରେ ଉନ୍ନତ ଆସିପାରିବ। ଏନେଇ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି। କେବଳ ଦିଲ୍ଲୀ ସରକାର ନୁହନ୍ତି, ସାଂପ୍ରତିକ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନେବା ଦରକାର ବୋଲି ଶ୍ରୀ ରାୟ କହିଛନ୍ତି। ଏହିକ୍ରମରେ ସେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସମାଲୋଚନା କରିଛନ୍ତି। ଗତ ୪ ମାସରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କୁ ୪ ଟି ଚିଠି ପଠାଯାଇଥିଲେ ମଧ୍ୟ କୃତ୍ରିମ ବର୍ଷା କରିବା ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଶ୍ରୀ ରାୟ କହିଛନ୍ତି।