Pratidin TV

Odisha's Digital News Platform

ରାତାରାତି ପୋଖରୀ ଚୋରୀ କରିନେଲେ ଜମି ମାଫିଆ…

1 min read

ପ୍ରଥମେ ବ୍ରିଜ୍ ପରେ ପରେ ଟ୍ରେନ । ଶେଷରେ ରାତା ରାତି ପୋଖରୀ ବି ଚୋରି କରିନେଲେ ମାଫିଆ । ଆଉ ପୋଖରୀ ଥିବା ସ୍ଥାନରେ ନିର୍ମାଣ କରାଯାଇଥିଲା ଘର । ଏପରି ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି ବିହାରର ଦରଭଙ୍ଗାରେ । ସର୍ବ ସାଧାରଣଙ୍କ ପାଇଁ ଥିବା ପୋଖରୀ ସମତଳ କରି ଫେରାର ମାରିଛି ମାଫିଆ ଜଣକ । ଯାହାକୁ ନେଇ ତାତିଛନ୍ତି ଗାଁ ଲୋକେ । ଗତ କିଛି ଦିନ ହେବ ଦରଭଙ୍ଗାରେ ଜମିର ମୂଲ୍ୟ ବୃଦ୍ଧି ପାଇଥିବା ଜଣାପଡିଛି । ଯେଉଁଥିପାଇଁ ଜମି ମାଫିଆ ମାନେ ଜମି ବିକ୍ରି କରିବା ଉଦ୍ଦେଶ୍ୟରେ ପୋଖରୀକୁ ସମତଳ କରିବାକୁ ଉଦ୍ୟମ କରିଥାଇ ପାରନ୍ତି ବୋଲି କୁହାଯାଉଛି ।

ସୂଚନା ମୁତାବିକ ଦରବଙ୍ଗା ଜିଲ୍ଲାର ୟୁନିଭରସିଟି ପୋଲିସ୍ ଷ୍ଟେସନ୍ ଅଞ୍ଚଳର ଏକ ୩୬ ଡିସିମିଲର ନିମ୍ ପୋଖରୀକୁ ମାଫିଆ ମାନେ ରାତାରାତି ପୋତି ସମତଳ କରିଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା । କାରଣ ଯେତେବେଳେ ପୋଖରୀ ପୋତିବା ଆରମ୍ଭ ହୋଇଥିଲା, ସେବେ ସ୍ଥାନୀୟ ଲୋକମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ପରେ କିଛି ଜୋନାଲ ଅଧିକାରୀଙ୍କ ପାଇଁ ପୋଖରୀ ପୋତିବା ବନ୍ଦ ରହିଥିଲା । କିନ୍ତୁ ରାତି ଅନ୍ଧାରର ସୁଯୋଗ ନେଇ ମାଫିଆମାନେ ପୋଖରୀ ପୋତିଦେଇଥିଲେ, ଏବଂ ସେଠାରେ ଘର ନିର୍ମାଣ କରି ଦେଇଥିଲେ। ତେବେ ପୋଲିସ ଓ ଜମି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଏପରି ଦୁର୍ନିତି ହୋଇଛି ବୋଲି ଲୋକେ କହିଛନ୍ତି । ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ ଲୋକମାନେ କୋର୍ଟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ।

Advertisement

ସେପଟେ ଗତ ବର୍ଷ ଠାରୁ ଏହି ପୋଖରୀର ଜମାବନ୍ଦି ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା । ସେହି ବ୍ୟକ୍ତି ଜଣକ ଟ୍ୟାକ୍ସ ଭରିବା ଆରମ୍ଭ କରିବା ପରେ ସିଓ ସ୍ଥାନୀୟ ରାଜସ୍ୱ ବିଭାଗର ଏଡିଏମ୍‌ଙ୍କୁ ଚିଠି ଲେଖି ଜମାବନ୍ଦି ରଦ୍ଦ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଏଡିଏମ୍ ସେହି ଚିଠିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସୂଚନା ରହିଛି । ଜମାବନ୍ଦି ବାତିଲ ହୋଇ ନ ଥିବାରୁ ପୋଖରୀକୁ ମାଫିଆ ମାନେ ସେହି ପୋଖରୀକୁ ପୋତି ଦେଇଛନ୍ତି । ଏ ଖବର ଜାଣିବା ପରେ ସଦର ଏସଡିପିଓ ଅମିତ୍ କୁମାର ଘଟଣାସ୍ଥାଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *