ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଦଳ ପାଳିଲେ ଗୁରୁଦିବସ ।
1 min read“ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର । ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।” ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଆଣି ଜ୍ଞାନ ରୂପକ ଆଲୋକ ଦେଖାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଯାହାଙ୍କ ଜ୍ଞାନରେ ମଣିଷ ଏକ ଦିଗଦର୍ଶନ ପାଇଥାଏ । ତେବେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ସେହି ଗୁରୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଏ ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତୀ ମାନେ ଗୁରୁଦିବସ ପାଳନ କରିଛନ୍ତି । ଏହି ପବିତ୍ର ଦିନରେ ବିଜୁ ଛାତ୍ର ଜନତା ଦଳର ଛାତ୍ରଛାତ୍ରୀ ଗଣ ଏକାଠି ହୋଇ ପାରମ୍ପରିକ ଢଙ୍ଗରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ପୂଜା କରିଥିଲେ । ଗୁରୁ ବନ୍ଦନା କରି, ସିନ୍ଦୂର, ଚନ୍ଦନ ଦେଇ ଗୁରୁଙ୍କ ଚରଣ ସ୍ପର୍ଶ କରି ଆର୍ଶୀବାଦ ନେଇଥିଲେ । ହେଲେ ଏବର୍ଷ ଏକ ଅଭିନବ ପ୍ରଣାଳୀରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ବୃକ୍ଷ ଚାରା ଦେଇ ଗୁରୁ ପୂଜନ କରିଥିଲେ । ପ୍ରାଚୀନ କାଳରୁ ହିଁ ଗୁରୁ ସମାଜର ତଥା ଶିଷ୍ୟ ମାନଙ୍କର ମଙ୍ଗଳ କାମନା କରିଥାନ୍ତି ।
ସୁସ୍ଥ ସମାଜ ହେଉ ବା ଭଲ ମଣିଷ ଟିଏ ଗଢିବାରେ ଗୁରୁ ହିଁ ପ୍ରମୁଖ ଅଙ୍ଗ ସାଜିଛନ୍ତି । ତେବେ ଗୁରୁଙ୍କ ବାର୍ତ୍ତାକୁ ଧ୍ୟାନରେ ରଖି ଭବିଷ୍ୟତରେ ସମାଜର କଲ୍ୟାଣ କରିବା ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ବୋଲି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି । ଗୁରୁଙ୍କ ପ୍ରଦତ୍ତ ଉତ୍ସାହ ଶିଷ୍ୟ ମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ଏବଂ ଗୁରୁଙ୍କ ଆର୍ଶୀବାଦରେ ସଫଳତା ର ଶୀର୍ଷରେ ପହଞ୍ଚିବେ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି ।