ବଜେଟ ପୂର୍ବରୁ ଅର୍ଥମନ୍ତ୍ରଣାଲୟ ଆୟୋଜନ କଲା ହାଲୱା ସେରିମନୀ ..
1 min readନୂଆଦିଲ୍ଲୀ : ବଜେଟ ପୂର୍ବରୁ ହାଲୱା ସେରିମନୀ । ଆୟୋଜିତ କଲା ଅର୍ଥ ମନ୍ତ୍ରଣାଳୟ । କେନ୍ଦ୍ର ବଜେଟ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ପାରମ୍ପାରିକ ହାଲୱା ସେରିମନୀ ଆୟୋଜିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ଡ. ଭାଗବତ କିଶନରାଓ କରାଡଙ୍କ ସମେତ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଏବଂ ବଜେଟ ପ୍ରେସ୍ର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉପସ୍ଥିତିରେ ନର୍ଥ ବ୍ଲକରେ ସ୍ଥିତ ଅର୍ଥ ମନ୍ତ୍ରଣାଳୟରେ ହାଲୱା ସମାରୋହ ଆୟୋଜିତ ହୋଇଥିଲା । ଏହାପରେ ସମସ୍ତଙ୍କୁ ହାଲୱା ବଣ୍ଟନ କରାଯାଇଥିଲା । ଗତ ଦୁଇ ବର୍ଷ ଭଳି ୨୦୨୩-୨୪ର କେନ୍ଦ୍ର ବଜେଟ ମଧ୍ୟ କାଗଜବିହୀନ ବା ପେପରଲେସ୍ରେ ଉପସ୍ଥାପିତ ହେବ । ଫେବୃଆରୀ ୧ରେ ଏହା ଉପସ୍ଥାପିତ ହେବ । ସୀତାରାମନଙ୍କ ବଜେଟ ଭାଷଣ ସମାପ୍ତ ହେବା ପରେ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ୟୁନିଅନ ବଜେଟ ମୋବାଇଲ ଆପରେ ବଜେଟ ଡକ୍ୟୁମେଂଟ ଉପଲବ୍ଧ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ବୁଧବାର ଟୁଇଟ କରି ସୂଚନା ଦେଇଥିଲା ।
ହାଲୱା ସମାରୋହ ପଛରେ ବିଶ୍ୱାସ ରହିଛି କି ପ୍ରତ୍ୟେକ ଶୁଭ କାମ କରିବା ପୂର୍ବରୁ କିଛି ମିଠା ଖାଇବା ଉଚିତ୍ । ଭାରତୀୟ ପରମ୍ପରାରେ ହାଲୱାକୁ ମଧ୍ୟ ବହୁତ ଶୁଭ ବୋଲି କୁହାଯାଇଥାଏ । ଏହି ପରମ୍ପରା ଅନୁଯାୟୀ ବର୍ତମାନର ଅର୍ଥମନ୍ତ୍ରୀ ନିଜେ ବଜେଟ ସହିତ ଜଡିତ କର୍ମଚାରୀ, ବଜେଟ ମୁଦ୍ରଣ ସହିତ ଜଡିତ କର୍ମଚାରୀ ଏବଂ ଅର୍ଥ ଅଧିକାରୀଙ୍କୁ ହଲୱା ବଂଟନ କରନ୍ତି । ହାଲୱା ସମାରୋହ ପରେ ଅର୍ଥ ମନ୍ତ୍ରଣାଳୟର ତଳ ମହଲାରେ ଥିବା ପିଂଟିଂ ହାଉସରେ ଗୁରୁବାରଠାରୁ ବଜେଟ ଉପସ୍ଥାପନା ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରଣାଳୟର ୧୦୦ରୁ ଅଧିକ ଅଧିକାରୀ ଏବଂ କର୍ମଚାରୀ ରହିବେ ।