ପ୍ରଥମ ପ୍ରୟାସରେ NEET କ୍ଲିଅର କଲେ ଭିନ୍ନକ୍ଷମ ଅଶ୍ରୁମୋଚନ ; ବନିବେ ଡାକ୍ତର କରିବେ ମାଗଣ ଚିକିତ୍ସା ….
1 min readଢେଙ୍କାନାଳ : ସର୍ବ ଭାରତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟବିବେଚିତ ହୋଇଛନ୍ତି ଅଶ୍ରୁମୋଚନ ନାୟକ । ଦୃଢ ମନୋବଳ ଆଗରେ ହାର ମାନିଛି ଭିନ୍ନକ୍ଷମତା । ଅଶ୍ରୁମୋଚନ ନାୟକ ଜନ୍ମରୁ ଜଣେ ଭିନ୍ନକ୍ଷମ । ତାଙ୍କ ବାପାଙ୍କ ନାମ ବିଜୟ କୁମାର ନାୟକ ଓ ମାତାଙ୍କ ନାମ ବିରଞ୍ଜିନି ନାୟକ । ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୁଳ ଆମ୍ବପଡା ଗ୍ରାମରେ ତାଙ୍କର ନିଜ ଘର ହୋଇଥିବା ବେଳେ ସେ ଢେଙ୍କାନାଳ ସହର କଂଟାନାଳି ବାଇପାସ୍ ଅଂଚଳରେ ରହୁଛନ୍ତି । ଅଶ୍ରୁମୋଚନ ଜନ୍ମବେଳେ ଭିନ୍ନକ୍ଷମ ହୋଇ ଜନ୍ମ ନେଇଥିଲେ । ସେଥିପାଇଁ ତାଙ୍କୁ ଛୋଟ ବେଳୁ ସମସ୍ତେ ଜଗା ବୋଲି ଡାକନ୍ତି । ତାଙ୍କର ଏପରି ଅବସ୍ଥା ଦେଖି ପରିବାର ଲୋକେ ବଂଚିବା ଆଶା ଛାଡିଦେଇଥିଲେ ।
ଛୋଟରୁ ବାପା ମା ଅଶ୍ରୁ୍ମୋଚନଙ୍କର ସେବା କରିବା ସହ ୫ବର୍ଷ ବୟସ ବେଳକୁ ବାଙ୍ଗାଲୋର ସତ୍ୟସାଇ ହସପିଟାଲରେ ଚିକିତ୍ସା ପାଇଁ ୨୦୦୯ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ସେଠାରେ ଚିକିତ୍ସା କରାଇଥିଲେ । ମା ବିରଞ୍ଜିନି ନାୟକ ଓ ବାପା ବିଜୟ କୁମାର ନାୟକ ବହୁ ଘାତ ପ୍ରତିଘାତ ସହି ପୁଅକୁ ଚିକିତ୍ସା କରାଇଥିଲେ । ବିଭିନ୍ନ ପ୍ରକାର ଚିକିତ୍ସା କରିବା ପରେ ଅଶ୍ରୁମୋଚନର ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । ସତ୍ୟସାଇ ଚିକିତ୍ସାଳୟରେ ରହିବା ସମୟରେ ଅଶ୍ରୁମୋଚନ ଜଣେ ଡାକ୍ତର ହେବେ ବୋଲି ଲକ୍ଷ୍ୟ ରଖିଥିଲେ । ସେହି ଲକ୍ଷ୍ୟ ଓ ଇଛାଶକ୍ତି ଆଜି ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଁଚାଇ ଦେଇଛି । ଚିକିତ୍ସା ହୋଇ ଆସିବା ପରେ ଡାକ୍ତରମାନଙ୍କର ପରାମର୍ଶ ଅନୁଯାୟୀ ପିତାମାତା ତାଙ୍କୁ ସୁକିନ୍ଦାସ୍ଥିତ ଷ୍ଟୁୱାର୍ଟ ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ସେ ୧୦ମ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖି ଉତିନ୍ନ ହେଲେ । ପରେ ଢେଙ୍କାନାଳ ଡିପିଏସ୍ ନାମ ଲେଖାଇ ସ୍କୁଲରୁ ୯୦ ପ୍ରତିଶତନମ୍ବର ରଖି ଦ୍ୱାଦଶ ପାସ କଲେ ।
ଅଶ୍ରୁମୋଚନ ନିଜେ ଅନଲାଇନ ମାଧ୍ୟମରେ ପାଠପଢି କଠିନ ପରିଶ୍ରମ କରି ପ୍ରଥମ ଆଟେମ୍ପ୍ଟରେ ସର୍ବଭାରତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢିବା ପାଇଁ ମନୋନିତ ହୋଇଥିଲେ । ସେ ଏବେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ଅଶ୍ରୁମୋଚନ ବାମ ହାତରେ ଲେଖୁଥିବା ବେଳେ ଭଲ ଚିତ୍ର ଆଙ୍କନ୍ତି।
ଏ ସମ୍ପର୍କରେ ଅଶ୍ରୁମୋଚନ ନିଜ ପ୍ରତିକ୍ରିୟାରେ କୁହନ୍ତି, ମୁ ସତ୍ୟସାଇ ହସପିଟାଲରେ ରହିବା ସମୟରେ ଡାକ୍ତର ମାନଙ୍କର ଚିକିତ୍ସା ଦେଖି ମୋର ଛୋଟବେଳୁ ଜଣେ ଡାକ୍ତର ହେବି ବୋଲି ଲକ୍ଷ୍ୟ ରଖିଥିଲି । ଇଛାଶକ୍ତି ଓ ଦ୍ରୁଢ ମନୋବଳ ଯୋଗୁ ଆଜି ମୁ ସଫଳତା ହାସଲ କରିଛି । ମୁଁ ସର୍ବଭାରତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୩୭୦୦ଓଡିଶା ରିୟାଙ୍କ ରେ ରହି ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ନାମ ଲେଖାଇଛି । ମୁ ଜଣେ କାର୍ଡିଓଲୋଜି ସ୍ପେଶିଆଲିଷ୍ଟ ହେବାକୁ ଇଛା ରଖିଛି । ମୋର ପ୍ରେରଣା ହେଉଛନ୍ତି ସାଇବାବା । ବାପା ମା’ ଙ୍କର ସଂଘର୍ଷ ଓ ମୋର ବଡ ଭଉଣୀ ବିଷ୍ନୁପ୍ରିୟା ନାୟକଙ୍କର ମୋ ପାଇଁ ଅବଦାନ । ଭିନ୍ନକ୍ଷମ ହେଲେ ବି ଦୃଢ ମନୋବଳ ଥିଲେ ସେ ସକ୍ଷମ ହୋଇପାରିବ ବୋଲି ଅଶ୍ରୁମୋଚନ କୁହନ୍ତି ।