ପାଚିଲା ଧାନ କ୍ଷେତରେ ଦୁର୍ବୁତ୍ତ ଲଗାଇଦେଲେ ନିଆଁ, ଏକର ଏକର ପାଚିଲା ଧାନ ଫସଲ ଜଳି ପାଉଁଶ…
1 min readସୁନାର ଫସଲରେ ଲାଗିଗଲା ନିଆଁ । ଜଳି ପୋଡି ପାଉଁଶ ହୋଇଗଲା ଅମଳ ପାଇଁ ପାଚିଥିବା ଧାନ । ଏକର ଏକର ଧାନ ଏବେ ନିଆଁର ଆଁରେ ପାଉଁଶ ହୋଇଯାଇଛି । ପାଉଁଶ ଭିତରୁ ପୋଡା ଧାନ କୁ ଧରି ଚିନ୍ତାରେ ପଡିଛି ଚାଷୀ । ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ ଗାଁରେ । ଆଉ ଦିନ କେଇଟା ପରେ ସୁନାର ଫସଲକୁ ତୋଳିନେଇଥାନ୍ତା ଚଷା ପୁଅ । ଏଥିରୁ ବର୍ଷକର ଖାଇବାକୁ ସାଇତି ରଖିଥାନ୍ତା । ହେଲେ ସେ ସବୁ ଯେମିତି ପାଣି ଫୋଟକା ପରି ଉଭୟୀ ଗଲା । ଧାନ କାଟି ବିଲରେ ଥୋଇ ଚାଷୀ ଆସିଥିବା ବେଳେ ଆଉ କେତେକ ବିଲରେ ଧାନ ଆଉ ଦିନକେଇଟା ପରେ କଟା ଯାଇଥାନ୍ତା ।
ହେଲେ କୌଣସି ଦୁର୍ବୁତ୍ତ ମଧ୍ୟାହ୍ନ ସମୟରେ ସୁନାର ଫସଲରେ ନିଆଁ ଲଗାଇଦେଇଥିଲା । ନିଆଁର ବେଗ ଏତେ ଅଧିକ ଥିଲା ଯେ ନିଆଁ ଗହୀର ସାରା ମାଡିଯାଇଥିଲା । ଦେଖୁ ଦେଖୁ ସବୁକିଛି ଜଳି ପୋଡି ଛାରଖାର ହୋଇଗଲା । ଏହି ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ମଧ୍ୟରେ ପୀତବାସ ସ୍ୱାଇଁ, ମାଧବାନନ୍ଦ ବରାଳ, ବଟକୃଷ୍ଣ ବରାଳ ଓ ହୃଷିକେଶ ବରାଳ ରହିଛନ୍ତି । ତେବେ ସୁନାର ଫସଲ ଜଳିପୋଡି ଯିବା ପରେ ଚିନ୍ତାରେ ଚାଷୀ ପରିବାର । ଅନେକ କଠିନ ପରିଶ୍ରମ କରିବା ସହ ଝାଳ ବୁହାଇ ଜମି ଭାଗକୁ ଆଣି ଚାଷ କରିଥିଲେ ପୀତବାସ ସ୍ୱାଇଁ । ଅଗ୍ନିକାଣ୍ଡ ସବୁକିଛି ଛାରଖାର କରିଦେଇଛି । ଋଣ କିଭଳି ସୁଜିବେ ଚିନ୍ତାରେ ଥିବା ବେଳେ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି କ୍ଷତିଗ୍ରସ୍ତଚାଷୀ ।