ହାଇକୋର୍ଟରେ ଚାଲିଥିବା ରତ୍ନଭଣ୍ଡାର ମାମଲାରେ ଶୁଣାଣି ପରେ ରାୟ ସଂରକ୍ଷିତ
1 min readକଟକ : ହାଇକୋର୍ଟରେ ରତ୍ନଭଣ୍ଡାର ମାମଲାର ଆଜି ଶୁଣାଣି ହୋଇଛି । ପରେ ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ ହୋଇଛି । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବତ୍ରୀ ରଥଙ୍କ ଖଣ୍ଡପୀଠରେ ହୋଇଛି ଶୁଣାଣି । ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏଥିରେ ପ୍ରାର୍ଥନା କରାଯାଇଥିଲା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ ହୋଇଛି । ତୃତୀୟ ଥର ଶୁଣାଣିରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ସୋମବାର ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା ।
କିନ୍ତୁ ସମୟ ଅଭାବ ଯୋଗୁଁ ମାମଲାର ଶୁଣାଣିକୁ ଗୋଟିଏ ଦିନ ଟାଳି ଦେଇଥିଲେ ଖଣ୍ଡପୀଠ । ଶୁଣାଣି ସମୟରେ ଆଇନଜୀବୀ ରତ୍ନଭଣ୍ଡାର ପ୍ରସଙ୍ଗରେ ଏଏସଆଇ ପକ୍ଷରୁ ଦାଖଲ ଯାଂଚ ରିପୋର୍ଟ ଉପରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଏସଆଇ ପକ୍ଷରୁ ୨୦୨୨ରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଯାଂଚ କରାଯାଇଥିଲା । ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଢାଞ୍ଚାରେ ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ କରିବା ପାଇଁ ପିଟିସନରେ ପ୍ରାର୍ଥନା ହୋଇଥିଲା ।
ଏଥିରେ ମୁଖ୍ୟ ସଚିବ, ପୁରୀ ଗଜପତି ମହାରାଜା, ଗୃହ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ସଚିବ, ପୁରୀ ଜିଲ୍ଲାପାଳ, ଏଏସଆଇ, ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏହି ମାମଲା ପରିଚାଳନା କରୁଥିଲେ ।