‘ହାଲୋ ମୁଁ ସିବିଆଇ ଅଫିସରୁ କହୁଛି’ ସାବଧାନ ଆପଣଙ୍କୁ ବି ଆସିପାରେ ଏମିତି କଲ୍ ।
1 min readକଟକ ; ସାଇବର ଲୁଟେରାଙ୍କ ଲୁଟ୍ ର ନୂଆ ତରିକା । ଆଉ ଏ ଲୁଟ୍ ର ତରିକା ଟିକିଏ ଅଲଗା । ଓଟିପି ନୁହେଁ ବରଂ ଆକାଉଣ୍ଟ କୁ ଟଙ୍କା କ୍ରେଡିଟ କରାଇ ଲୁଟିନେଲେ ପାଖାପାଖି ୯ ଲକ୍ଷ ଟଙ୍କା । ସାଇବର୍ ଠକ ବ୍ୟକ୍ତିଙ୍କୁ ଡ୍ରଗସ୍ ଚାଲାଣ ମାମଲାରେ ଓ ସିବିଆଇର ଗିରଫଦାରୀ ଭୟ ଦେଖାଇ ୯ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏ ନେଇ କଟକ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ସୂଚନା ମୁତାବକ, ମଧୁପାଟଣା ଥାନା ନେତାଜୀ ନଗର ଅଞ୍ଚଳର ବିଶ୍ଵଜିତ ସାହୁଙ୍କ ପାଖକୁ ଗତ ୧୧ ତାରିଖରେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ କୋରିୟର ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇ ପ୍ରଥମେ କଥା ହୋଇଥିଲେ । ବିଶ୍ଵଜିତଙ୍କ ନାଁ’ରେ ଥିବା ଏକ ପାର୍ସଲ ମୁମ୍ବାଇ ବିମାନ ବନ୍ଦରରେ ସିବିଆଇ ହାତରେ ଧରାପଡ଼ିଛି । ଏଥିରେ ୨୦୦ ଗ୍ରାମର ଡ୍ରଗସ୍ ଥିବାର ସମ୍ପୃକ୍ତ ସନ୍ଦିଗଧ ଜଣକ ବିଶ୍ୱଜିତ୍ଙ୍କୁ କହିଥିଲା । ଉକ୍ତ ପାର୍ସଲରେ ଥିବା ନାଁ ଓ ଠିକଣା ସମ୍ପର୍କରେ ସିବିଆଇ ତଥ୍ୟ ନେଇଛି ବୋଲି ବିଶ୍ୱଜିତ୍ ଙ୍କୁ କହିବା ପରେ ସେ ଭୟଭୀତ ହୋଇଯାଇଥିଲେ । ଡ୍ରଗସ୍ କାରବାର ଓ ବିଦେଶକୁ ଡ୍ରଗସ୍ ଚାଲାଣ ଅଭିଯୋଗକୁ ବିଶ୍ଵଜିତ୍ ସମ୍ପୂର୍ଣ ଅସ୍ୱୀକାର କରିଥିଲେ ମଧ୍ୟ ମିଛଟାରେ ତାଙ୍କୁ କାଳେ କିଏ ଫସାଇ ଗିରଫ କରିବ ଏହି ଭୟ ତାଙ୍କ ମନରେ ଘାରିଥିଲା । କୋରିୟର୍ କର୍ମଚାରୀ ପରିଚୟ ଦେଉଥିବା ସମ୍ପୃକ୍ତ ସନ୍ଦିଗଧ ଜଣକ ମୁମ୍ବାଇର ସିବିଆଇ ଅଫିସରଙ୍କୁ ଯୋଗାଯୋଗ କରିବାକୁ ବିଶ୍ଵଜିତ୍ଙ୍କୁ ପରାମର୍ଶ ଦେଇଥିଲା ।
ପରବର୍ତ୍ତୀ ସମୟରେ ସମ୍ପୃକ୍ତ ସନ୍ଦିଗ୍ଧ ସହାୟତା ଦେବା ନାଁରେ ଭିଡିଓ କଲ୍ରେ ଦ୍ଵିତୀୟ ବ୍ୟକ୍ତିଙ୍କୁ ସିବିଆଇ ମୁମ୍ବାଇ ଶାଖାର ବରିଷ୍ଠ ଅଧିକାରୀ ଭାବେ ପରିଚୟ ଦେଇ ବିଶ୍ଵଜିତ୍ଙ୍କ ସହ କଥାବାର୍ଭା କରାଇ ଦେଇଥିଲା । ମୁମ୍ବାଇ ପୁଲିସ୍ ଓ ସିବିଆଇର ଗିରଫଦାରୀ ଭୟ ଦେଖାଇବା ପରେ ବିଶ୍ୱଜିତ୍ ଛାନିଆ ହୋଇଯାଇଥିଲେ । ଏହାପରେ ସିବିଆଇ ଅଫିସର ପରିଚୟ ଦେଉଥିବା ଠକ ଜଣକ ବିଶ୍ଵଜିତ୍ ଙ୍କ ଆକାଉଣ୍ଟ କୁ ହଠାତ୍ ୧୦ ଲକ୍ଷ ଟଙ୍କା ଜମା କରିଦେଲେ । ଏବଂ ଟଙ୍କା ଜମା ହେବାପରେ ବିଭିନ୍ନ ଆଳ ଦେଖାଇ ବିଶ୍ୱଜିତ୍ ଙ୍କୁ ଭୟଭୀତ କଲେ । ସେଥିରୁ ତିନୋଟି ଆକାଉଣ୍ଟ୍ରେ ବିଶ୍ଵଜିତ୍ ସମୁଦାୟ ୯ ଲକ୍ଷ ଟଙ୍କା ପଠାଇଥିଲେ । ଗୋଟିଏ ଆକାଉଣ୍ଟ୍ରେ ୫ ଲକ୍ଷ, ଅନ୍ୟ ଦୁଇ ଆକାଉଣ୍ଟ୍ରେ ୪ ଲକ୍ଷ ଟଙ୍କା ଅନଲାଇନ୍ରେ ଦେଇଥିଲେ । ତେବେ ବିଶ୍ୱଜିତ୍ ଟଙ୍କା ଦେଇସାରିବା ପରେ ଲୁଟେରା ପୁଣି ଡିମାଣ୍ଡ କରିଥିଲେ ଟଙ୍କା ଦେବାକୁ । ମାତ୍ର ସେତେବେଳକୁ ଆକାଉଣ୍ଟ୍ ସଫା ହୋଇ ଯାଇଥିଲା । କିନ୍ତୁ ଏଇଠି ଆସିଥିଲା ଲୁଟ୍ ରେ ଟ୍ୱୀଷ୍ଟ । ବିଶ୍ୱଜିତ୍ ଜାଣିବାକୁ ପାଇଥିଲେ ସେ ଠକାମୀ ର ଶିକାର ହେଉଛନ୍ତି । ଆଉ ତୁରନ୍ତ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସାଇବର ଥାନାକୁ ଯାଇ ଏତଲା ଦେବା ପରେ ତାଙ୍କ ମେଲ୍ କୁ ଆସିଲା ୧୦ ଲକ୍ଷ ଟଙ୍କାର ଲୋନ୍ । ବ୍ୟାଙ୍କ୍ ଟି ହେଉଚି ତାଙ୍କର ସାଲାରି ଆକାଉଣ୍ଟ ଥିବା ଆଇସି ଆଇସି ଆଇ ବ୍ୟାଙ୍କ୍ । ତେବେ ଏ ସମ୍ପୂର୍ଣ୍ଣ ଘଟଣା ପରେ ସାଇବର ଥାନା କଣ ଆକ୍ସନ ନେଉଛି ତାହା ଦେଖିବାକୁ ବାକି ରହିଲା ।