Pratidin TV

Odisha's Digital News Platform

ବିଛଣାରେ ପଡ଼ିଛି ସ୍ୱାମୀ , ଘର ଛାଡି ଖଟୁଛି ସ୍ତ୍ରୀ, ସାହାଯ୍ୟ ଅପେକ୍ଷାରେ ଚାହିଁଛନ୍ତି ଅସହାୟ ପରିବାର ..

1 min read

ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ ।  ଘରର ଏରୁଣ୍ଡି ସେପଟେ ଅନ୍ଧାର ପରି ଅନ୍ଧାର ହୋଇଗଲାଣି ଏମାନଙ୍କ ଜୀବନ । ଆଜି ଜୀବନ ସହିତ ସଂଘର୍ଷ କରୁଛନ୍ତି ଏହି ଚାରିଜଣ ।  ଘରର ରୋଜଗାରିଆ ଲୋକଟା ଆଜି ଶଯ୍ୟା ଶାୟୀ ହୋଇପଡିଛି । ଆଜି ଅସହାୟ ପରିବାର ସବୁ ଆଶା ଭାଙ୍ଗିଯାଇଛି । ଆଜି ପଇସା ନାହିଁ ବୋଲି ବିଛଣାରେ ସ୍ୱାମୀ ପଡିଛି ପାଖରେ ବସି ଲୁହ ଗଡାଉଛି ସ୍ତ୍ରୀ । ଏ ହେଉଛନ୍ତି କାଠଖୁଣ୍ଟ ପଞ୍ଚାୟତ ଅଧିନସ୍ତ ଶାଗୁଣାପଲ୍ଲୀ ଗାଁର ତ୍ରିନାଥ ଦଳେଇ  । ତ୍ରିନାଥ ବିଭିନ୍ନ  ହୋଟେଲରେ ରହି କାମ କରୁଥିଲେ। ଦୁଇ ବର୍ଷ ହେବ ରୋଗରେ ପଡି ଅର୍ଥ ସାରିବା ପରେ ଏବେ ପରିବାର ପୁରାପୁରି ସର୍ବଶାନ୍ତ ।  ତ୍ରିନାଥ ଙ୍କର ଦୁଇଟି ପୁଅ। ସାନ ପୁଅ ସପ୍ତମ ଶ୍ରେଣୀ ରେ ପଢୁଥିବା ବେଳେ ବଡ଼ ପୁଅ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଶେଷରେ ପରିବାର ର ବୋଝ ମୁଣ୍ଡାଇ ପରିବାର ର କାମ କରୁଛି ତ୍ରିନାଥ ଙ୍କ ସ୍ତ୍ରୀ   । 

ପରିବାରର ବୋଝ କମ୍ କରିବାକୁ ମା’ଙ୍କ ସହ ଦୁଇ ପୁଅ ମଧ୍ୟ ମୂଲ ଲାଗୁଛନ୍ତି। ମାତ୍ର ତ୍ରିନାଥଙ୍କର ଔଷଧ ଖର୍ଚ୍ଚ ଓ ଗାଡି ଯାତାୟାତ ଖର୍ଚ୍ଚ ସମୁଦ୍ରକୁ ଶଙ୍ଖେ ପରି ।ଗରିବ ପରିବାର ଏବେ ଦିଗହରା ହୋଇ ପଡିଛି। ବିଜୁ ସ୍ବାସ୍ଥ୍ୟକାର୍ଡରୁ ସମ୍ପୂର୍ଣ୍ଣ ପାଞ୍ଚ ଲକ୍ଷ ଟଙ୍କା ଚିକିତ୍ସାରେ ଖର୍ଚ୍ଚ ହୋଇଯିବା ପରେ ମଧ୍ଯ ତ୍ରିନାଥ ସୁସ୍ଥ ହୋଇପାରିନାହାନ୍ତି । ପୁଣି ଅନେକ ଅର୍ଥ ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି। କେଉଁଠୁ ଏତେ ଅର୍ଥ ଆସିବ ସେ ନେଇ ଏବେ ପରିବାର ଚିନ୍ତାରେ। ଗୋଡ଼ରେ ଏକ କ୍ଷତ ହୋଇଥିବା ବେଳେ ଅନେକ ଚିକିତ୍ସା ପରେ ବି କ୍ଷତ ଶୁଖୁ ନାହିଁ। ରକ୍ତ ହୀନତା ଯୋଗୁ ପ୍ରତ୍ୟେକ ସପ୍ତାହରେ କଟକରେ ତାଙ୍କୁ ରକ୍ତ ଦିଆଯାଉଛି। ସେହିପରି ତ୍ରିନାଥ ବୃକକ, ଯକୃତ, ହୃତପିଣ୍ଡ, ଥାଲାସେମିଆ ଆଦି ବିଭିନ୍ନ ରୋଗରେ ପୀଡିତ ଅଛନ୍ତି । ଖୁବ ଶୀଘ୍ର ରେଡକ୍ରସ କିମ୍ବା ଅନ୍ୟ କୌଣସି ସରକାରୀ ସୁବିଧା ତ୍ରିନାଥଙ୍କୁ ଯୋଗାଇ ଦେବାକୁ ପରିବାର ଦାବି କରିଛନ୍ତି। ଯଦି କୌଣସି ବଦାନ୍ଯ ବ୍ୟକ୍ତି ଅର୍ଥ ସାହାଯ୍ୟ କରିବାକୁ ଚାହାନ୍ତି ତେବେ ତ୍ରିନାଥ ଦଳେଇ, ଶାଗୁଣାପଲ୍ଲୀ, କୋକଳବା ଠିକଣାରେ ଯୋଗାଯୋଗ କରିବାକୁ ପରିବାର ତରଫରୁ ଅନୁରୋଧ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *