ବାତ୍ୟା ପାଇଁ ହାଇ ଆଲର୍ଟ ; ୫୪ଟି ଟ୍ରେନ୍କୁ ବାତିଲ କଲା ପୂର୍ବତଟ ରେଳବାଇ…..
1 min readଭୁବନେଶ୍ୱର ; ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବାପରେ ଏହା ପଶ୍ଚିମ ଓ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଆହୁରି ଘନିଭୂତ ହୋଇ ଆଜି ବାତ୍ୟାର ରୂପ ନେବ । ଆସନ୍ତାକାଲି ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ତତ୍ସଂଲଗ୍ନ ଉତର ତାମିଲନାଡୁ ଉପକୂଳ ମୁହାଁ ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଏହା ପରେ ଦକ୍ଷିଣ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଉତର ଦିଗରେ ଗତି କରିବାର ଆଶଙ୍କା ରହିଛି । ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେଲୋର ଓ ମଛିଲିପଟନମ୍ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନ ଘଂଟା ପ୍ରତି ୧୦୦ କିଲୋମିଟର ବେଗର ଝଟକା ଦେଇପାରେ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତି ଅଂଚଳ ପାଇଁ ବାତ୍ୟା ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୫୪ଟି ଟ୍ରେନ୍କୁ ବାତିଲ କରିଛି ପୂର୍ବତଟ ରେଳବାଇ ବା ଇଷ୍ଟକୋଷ୍ଟ ରେଲୱେ। ପୂର୍ବତଟରୁ ବାହାରୁଥିବା ୧୨ଟି ଏବଂ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍କୁ ବାତିଲ କରାଯାଇଛି। ବାତିଲ ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି ପୁରୀ-ଚେନ୍ନାଇ, ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱର-ବେଙ୍ଗାଲୁରୁ ଆଦି ଟ୍ରେନ୍। ଏଥିସହ ବିଶାଖାପାଟଣାରୁ ଚେନ୍ନାଇ ଓ ତିରୁପତିକୁ ଯାଉଥିବା ଟ୍ରେନ୍ ବି ବାତିଲ ହୋଇଥିବା ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟା ଓ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ୫୪ଟି ଟ୍ରେନ୍କୁ ବାତିଲ କରାଯାଇଛି।