କୋର୍ଟର ନିଷ୍ପତ୍ତି , ଛାଡପତ୍ର ପରେ ସ୍ୱାମୀଙ୍କୁ ଭରଣପୋଷଣ ଦେବ ସ୍ତ୍ରୀ ..
1 min readସାଧାରଣ ପାରିବାରିକ କଳହ ବା ଛାଡ଼ପତ୍ର ମାମଲାରେ ସ୍ୱାମୀ ହିଁ ପତ୍ନୀଙ୍କୁ ଭରପୋଷଣ ପାଇଁ ମାସିକ ଟଙ୍କା ଦେଇଥାଆନ୍ତି । ହେଲେ ଏବେ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ ଭରପୋଷଣ ବାବଦକୁ ମାସିକ ଟଙ୍କା ଦେବେ । ଛାଡ଼ପତ୍ର ପରେ ବେରୋଜଗାର ସ୍ୱାମୀଙ୍କର ସବୁ ଦାୟତ୍ୱ ରୋଜଗାରକ୍ଷମ ସ୍ତ୍ରୀ ସ୍ତ୍ରୀ ନେବ । ବମ୍ବେ ହାଇକୋର୍ଟ ଗୁରୁବାର ଦିନ ଏପରି ଏକ ଐତିହାସିକ ରାୟ ଶୁଣାଇଛନ୍ତି । ସ୍ୱାମୀଙ୍କ ରକ୍ଷଣାବେକ୍ଷଣ ନିମନ୍ତେ ମାସିକ ୧୦ ହଜାର ଟଙ୍କା ଦେବାକୁ ପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ କାଏମ ରଖି ବମ୍ବେ ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି । ସୂଚନାନୁଯାୟୀ ୨୦୧୬ ମସିହାରେ ମହାରାଷ୍ଟ୍ରରେ ଏକ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର କୋର୍ଟରେ ଭରଣପୋଷଣ ନିମନ୍ତେ ମାମଲା ଦାୟର କରିଥିଲେ ।
ତେବେ ମାର୍ଚ୍ଚ ୧୩, ୨୦୨୦ ମସିହାରେ ମହାରାଷ୍ଟ୍ରର ଏକ ନିମ୍ନ ଅଦାଲତ ଏହି ମାମଲରେ ରାୟ ଶୁଣାଇଥିଲେ । ବିବାହ ବିଚ୍ଛେଦ ପରେ ଯଦି ସ୍ୱାମୀ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଅନ୍ୟାନ୍ୟ କୌଣସି କାରଣ ପାଇଁ ରୋଜଗାର କରିପାରୁନାହାନ୍ତି ତେବେ ବେରୋଜଗାରୀ ସ୍ୱାମୀଙ୍କ ଭରଣପୋଷଣ ଦାୟିତ୍ୱ ସ୍ତ୍ରୀଙ୍କର ବୋଲି ନିର୍ଦ୍ଦେଶ ଦେଇଥିଲେ । ସ୍ୱାମୀଙ୍କୁ ଭରଣପୋଷଣ ବାବଦକୁ ମାସିକ ୧୦ହଜାର ଟଙ୍କା ଦେବାକୁ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ନିମ୍ନ ଅଦାଲତଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପତ୍ନୀ । ସ୍ୱାମୀଙ୍କୁ ଭରଣପୋଷଣ ଦେବାରେ ନିଜକୁ ଅସମର୍ଥ ଦର୍ଶାଇଥିଲେ । କୋର୍ଟରେ ପତ୍ନୀ ଜଣାଇଥିଲେ ଯେ, ପୂର୍ବରୁ ସେ ବ୍ୟାଙ୍କ୍ ବ୍ରାଞ୍ଚ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ସେ ଚାକିରିରୁ ଇସ୍ତଫା ଦେଇ ବେରୋଜଗାରୀ ଅଟନ୍ତି । ୨୦୧୯ ମସିହାରୁ ସେ ଚାକିରି ଛାଡି ଦେଇଥିବା ନେଇ ଇସ୍ତଫା ପତ୍ରର ପ୍ରମାଣ ପ୍ରଦାନ କରିଥିଲେ ।
କିନ୍ତୁ ମହିଳା ଜଣକ ମାସିକ ଘର ଋଣ ସୁଝୁଥିବା ବେଳେ ନିଜ ନାବାଳକ ଶିଶୁର ଭରଣପୋଷଣ ପାଇଁ ଖର୍ଚ୍ଚ କରୁଥିଲେ । ତେଣୁ ମହିଳା ରୋଜଗାରର ଆଧାର ଆଉ କିଛି ଥାଇପାରେ ଓ ଏହାକୁ ସାମ୍ନାକୁ ଆଣିବାକୁ ନିମ୍ନ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ହାଇକୋର୍ଟ ବିଚାରପତି ଶର୍ମିଳା ଦେଶମୁଖ ପତ୍ନୀଙ୍କର ଆବେଦନକୁ ଖାରଜ କରି ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ସ୍ୱାମୀଙ୍କ ଭରଣାପୋଷଣ ନିମନ୍ତେ ମାସକୁ ୧୦ ହଜାର ଟଙ୍କା ସ୍ୱାମୀଙ୍କୁ ଦେବାକୁ ରାୟ ଶୁଣାଇଛନ୍ତି ।