ସ୍କୁଲରେ ପାଠ ପଢାଇବା ଛାଡି ଗାଁ ଗାଁ ବୁଲି ଲୋନ କରାଉଛନ୍ତି ସରକାରୀ ଶିକ୍ଷକ : କଣ ପଦକ୍ଷେପ ନେବ ପ୍ରଶାସନ ?
1 min readବାଲେଶ୍ୱର : ଶିକ୍ଷାଦାନ ହେଉଛି ମହତଦାନ,ଶିକ୍ଷାକୁ ଯେତେ ବାଣ୍ଟିଲେ କେବେବି ସରେ ନାହିଁ । ସରକାର ପିଲାମାନଙ୍କୁ ପାଠ ପଢାଇବାକୁ ଶିକ୍ଷକମାନଙ୍କୁ ମାସକୁ ମାସ ହଜାର ହଜାର ଟଙ୍କା ଦରମା ଦେଉଛନ୍ତି । କିନ୍ତୁ ଶିକ୍ଷକ ସ୍କୁଲକୁ ନଆସି ଗାଁ ଗାଁ, ଘରଘର ଯାଇ ଲୋକମାନଙ୍କୁ ଲୋନ କରିଦେବି କହି ହଜାର ହଜାର ଟଙ୍କା ଲୁଟ୍ କରୁଥିବା ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ଘଟିଛି ବାଲିଆ ପାଳ ବ୍ଲକ କାହ୍ନୁପାଣ୍ଠ ଗ୍ରାମରେ । ହାସିମପୁର ଗ୍ରାମର ସୁଧାଂଶୁଶେଖର ଜେନା ଏମିତି ବହୁ ବର୍ଷ ଧରି ଲୋକଙ୍କୁ ଭଣ୍ଡାଇ ପଇସା ନେଉଛନ୍ତି ।
ସୁଧାଂଶୁ ପେସାରେ ଜଣେ ଶିକ୍ଷକ, ସେ ଜାଠିଆ କୃଷ୍ଣଭାନୁ ହାଇସ୍କୁଲରେ ଶିକ୍ଷକତା କରନ୍ତି ଏବେ ଛଡାକ୍ଷମ ରାଧାଶ୍ୟାମ ହାଇସ୍କୁଲରେ ଡେପୁଟି ଶିକ୍ଷକ ଭାବରେ ଆସିଛନ୍ତି । ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଇବା ବଦଳରେ ଘରେ ଘରେ ଯାଇ ଲୋକମାନଙ୍କୁ ଲୋନ କରାଇଦେବି କହି ଟଙ୍କା ଲୁଟୁଛନ୍ତି ସରକାରୀ ସ୍କୁଲ ଶିକ୍ଷକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଲୋକମାନଙ୍କୁ ଚୁନ ଲଗାଉଛନ୍ତି ସେ । ପ୍ରତିଦିନ ସ୍କୁଲକୁ ଯାଇ ବାହାନା ବନାଇ ଚମ୍ପଟ ମାରୁଛନ୍ତି ସୁଧାଂଶୁ । ମୁଣ୍ଡ ବିନ୍ଧୁଛି , ଖାଇବାକୁ ଯିବି କହି ସ୍କୁଲ ଟାଇମରେ ଆସି ଗାଁ ଗାଁ ବୁଲି ଲୋନ କରାଇଦେବା କହି ଠକୁଛନ୍ତି । ଲୋକମାନଙ୍କ ପିଛା ଲୋନ ପାଇଁ ହଜାର ହଜାର ଟଙ୍କା ଆଣୁଛନ୍ତି । କିନ୍ତୁ ଲୋନ ପଇସା କେବେ ମିଳିବ କହିବାରୁ ଲୋକମାନଙ୍କ ସହ ଅଯଥା ଯୁକ୍ତି କରୁଛନ୍ତି ଶିକ୍ଷକ ।
ତେବେ ଗଣମାଧ୍ୟମ କାନରେ ଏଭଳି ଖବର ପଡିବା ପରେ ମଧ୍ୟହ୍ନ ଶିକ୍ଷକଙ୍କୁ ଠାବ କରିଥିଲେ । କିନ୍ତୁ ଶିକ୍ଷକ ସ୍କୁଲ ବଦଳରେ ଜଣଙ୍କ ଘର ଆଗରେ ଚିଆର ପକେଇ ବସିବା ସହ କିଛି କାଗଜ ପତ୍ର ଲେଖାଲେଖି କରୁଥିଲେ । ଏନେଇ ଗଣମାଧ୍ୟମ ଶିକ୍ଷକଙ୍କୁ ଯେତେବେଳେ ପଚାରିଥିଲା କି ସ୍କୁଲ ଟାଇମରେ ସେ ଏଠାରେ କଣ କରୁଛନ୍ତି ? ଓଲଟା ଶିକ୍ଷକ ଯୁକ୍ତି କରି ଗଣମାଧ୍ୟମର କୌଣସି ଉତ୍ତର ଦେଇନଥିଲେ । ତେବେ ସରକାର ରାଜ୍ୟରେ ପିଲାମାନଙ୍କ ଭବିଷ୍ୟତ ପାଇଁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣୁଥିବା ବେଳେ , ଶିକ୍ଷକମାନଙ୍କର ଏଭଳି ଠକାମି ପିଲାମାନଙ୍କ ଭବିଷ୍ୟତକୁ ଦିଗହରା କରାଇଛି । ଏବେ ଦେଖିବା ବାକି ରହିଲା ଯେ ପ୍ରଶାସନ ଏଭଳି ଠକ ଶିକ୍ଷକଙ୍କ ବିରୋଧରେ କିଭଳି ପଦକ୍ଷେ ନେଉଛନ୍ତି ।