ବଢିଲା ହୀରାକୁଦର ଜଳସ୍ତର : ପାଣି ଘେରରେ ଗ୍ରାମବାସୀ
1 min readଭୁବନେଶ୍ୱର : ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ହୀରାକୁଦର ଜଳ ସ୍ତର ବଢିବାରେ ଲାଗିଛି । ଫଳରେ ମହାନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଗତକାଲି ଏସ୍ଆରସି ପ୍ରବଳ ବନ୍ୟା ଆଶଙ୍କା ନେଇ ସୂଚନା ଦେଇଥିଲେ । ମହାନଦୀରେ ଜଳ ସ୍ତର ବିପଦ ସଂକେତ ଡେଇଁବା ଫଳରେ କଟକର ବାଙ୍କୀ ସହ ତଳିଆ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛନ୍ତି ।
ଆଜି ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍ ଟପିଛି । ଡ୍ୟାମ୍ ମଧ୍ୟକୁ ପ୍ରବେଶ କରୁଛି ୮ଲକ୍ଷ ୨୯ ହଜାର ୨୬୭ କ୍ୟୁସେକ୍ ଜଳ । ଏହାସହ ଡ୍ୟାମରୁ ପ୍ରାୟ ୪ଲକ୍ଷ ୫୧ହଜାର ୩୦୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ମୁଣ୍ଡୁଳିରେ ବିପଦ ସଂକେତ ଟପିଲା ମହାନଦୀ ଜଳ –
ମୁଣ୍ଡୁଳିର ଜଳସ୍ତର ୯୭.୩୦ ଫୁଟ୍ ଥିବା ବେଳେ ,ଆଜି ବିପଦ ସଂକେତ ୯୭.୨୫ଫୁଟ୍ ଟପିଛି । ଏବେ ମୁଣ୍ଡୁଳିରେ ୧୧ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।ଫଳରେ କଟକର ତଳିଆ ଅଞ୍ଚଳଗୁଡିକ ଜଳାର୍ଣ୍ଣବ ହୋଇଯାଇଛି ।
କଟକ ବାଙ୍କି ମୁଖ୍ୟ ରାସ୍ତାରେ ବନ୍ୟାଜଳ-
ମହାନଦୀରେ ବନ୍ୟା ଆସିବା ଫଳରେ କଟକ ବାଙ୍କୀ ଅଞ୍ଚଳ ପ୍ରଭାବିତ ହୋଇଛି । ବାଙ୍କୀର କେତେକ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି । ରଣ ନଈ ଓ ଚନ୍ଦ୍ରମା ନାଳ ପାଣି ପଶି ବାଙ୍କୀ-ବୈଦେଶ୍ୱର ରାସ୍ତା ଜଳମଗ୍ନ ହୋଇଛି । କଟକ ବାଙ୍କି ମୁଖ୍ୟ ରାସ୍ତା, କଇଁମୁଣ୍ଡି-ପାଥପୁର ମଝି ଗଡାଣିରେ ଗତକାଲିଠାରୁ ମହାନଦୀର ୨ ଫୁଟର ପାଣି ପ୍ରବାହିତ ହୋଇଛି । ଏନେଇ ଗାଁଟି ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗରୁ ବିଛିନ୍ନ ହୋଇଯାଇଛି । ସେହିଭଳି ଚାରିଘରିଆ ମଧ୍ୟ ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ,ଫଳରେ ଉକ୍ତ ଅଞ୍ଚଳର ଶହ ଶହ ହେକ୍ଟର ଜମିର ପରିବା ଚାଷ ନଷ୍ଟ ହେବା ଆଶଙ୍କା କରାଯାଇଛି ।
କୁଜଙ୍ଗଠାରେ ମହାନଦୀର ଘାଇ –
କୁଜଙ୍ଗ ଜୟଶଙ୍ଖପୁରଠାରେ ମହାନଦୀରେ ୭୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଜିଲାନାସୀ ଓ ମାଧପୁର ଭିତରକୁ ବନ୍ୟାଜଳ ମାଡ଼ି ଚାଲିଛି । ବଡ଼ବାଲିକଣି ନିକଟରେ ପାଇକା ନଦୀବନ୍ଧରେ ମଧ୍ୟ ଘାଇ ସୃଷ୍ଟି ହୋଇଥିବା ବେଳେ ହଂସୁରା ନିକଟରେ ମହାନଦୀ ବନ୍ଧ ଉପରେ ପାଣି ପ୍ରବାହିତ ହେଉଛି।
ବିପଦ ସଂକେତ ଟପିଲା ଦେବୀ ନଦୀ
ଜଗତସିଂହପୁର ଦେବୀ ନଦୀର ଦଲେଇ ଘାଇ ମଧ୍ୟ ବିପଦ ସଂକେତ ଟପିଛି ।ଦେବୀର ଜଳସ୍ତର ୫୮.୬୦ ଫୁଟ୍ ଥିବାବେଳେ ଏହା ଆଜି ୫୭ ଫୁଟ୍ ବିପଦ ସଂକେତ ପାର କରିଛି ।ସେହିପରି କାକଟପୁର ବାଉରିଆକଣ ଠାରେ ମଧ୍ୟ ଏହି ନଦୀର ଜଳସ୍ତର ବିପଦ ସଂକେତ ଡେଇଁଛି । ଏହାର ଜଳସ୍ତର ୫.୬୦ମିଟର ଥିବାବେଳେ ,ବିପଦ ସଂକେତ ୪.୯୩ ମିଟର ରହିଛି ।
ବଉଳାଙ୍ଗରେ ମହାନଦୀର ଘଳିଆ
ଆଠଗଡ ଜିଲ୍ଲାର ଡିଗିରିଆ ବଉଳାଙ୍ଗ ନିକଟରେ ମହାନଦୀରେ ଆଜି ଘଳିଆ ସୃଷ୍ଟି ହୋଇଛି । ଏନେଇ ଗ୍ରାମବାସୀ ବାଲି ବସ୍ତା ପକାଇ ଘଳିଆଟିକୁ ବନ୍ଦ କରିବାନିମନ୍ତେ ପ୍ରଚେଷ୍ଟା ଚଳାଇଛନ୍ତି ।
କେନ୍ଦ୍ରାପଡା –
କରାଣ୍ଡିଆ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ କେନ୍ଦ୍ରାପଡାର ୨ଟି ବ୍ଲକରେ ଘାଇ ସୃଷ୍ଟି ହୋଇଛି । ଏହାସହ ମାର୍ଶାଘାଇ ବ୍ଲକ ବଳରାମପୁର ଘେରି ବନ୍ଧ ଭାଙ୍ଗିଯିବା ଫଳରେ ,ଢିଅବଳରାମପୁର ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଛିନ୍ନ
ହୋଇଯାଇଛି । ସେହିପରି ଗରଦପୁର ବ୍ଲକ ହୁରାସାହି ,ଶିଶୁଆ,ସଠିଲୋ ଗାଁ ମଦ୍ୟ ପାଣି ଘେରରେ ରହିଛନ୍ତି ।
ଖୋର୍ଦ୍ଧା –
ଖୋର୍ଦ୍ଧାର ନରଣଗଡ ଓ ଓରବରସିଂହ ପଞ୍ଚାୟତର ପ୍ରାୟ ୧୦ ଟି ଗାଁ ଏବେ ରାଜୁଆ ଏବଂ ଦୟାନଦୀର ପାଣିଘେରରେ ରହିଚନ୍ତିା
ସୂଚନା ଅନୁଯାୟୀ ରାଜ୍ୟରେ ବନ୍ୟା ସ୍ଥିତି ଆଜି ଉଦ୍ବେଗଜନକ ଥିବା ବେଳେ ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଆଜି ପୂର୍ବାହ୍ନ ଦିନ ୧୧ଟା ବେଳେ ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।