Pratidin TV

Odisha's Digital News Platform

ବରମୁଣ୍ଡା ନୂଆ ରୋଡ୍‌ରେ ନୂଆ ମଦ ଦୋକାନ, ତାଲା ପକାଇଦେଲେ ଉତ୍ତ୍ୟକ୍ତ ମହିଳା

1 min read

ଖଣ୍ଡଗିରି : ବରମୁଣ୍ଡା ନୂଆ ରୋଡ୍‌ରେ ଖୋଲିଥିବା ଏକ ମଦ ଦୋକାନକୁ ପୂରା ବନ୍ଦ କରିବା ଦାବିରେ ଆଜି ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇଥିଲେ। ଜିଲ୍ଲା ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ। ଶେଷରେ ମଦ ଦୋକାନର ତାଲା ଭାଙ୍ଗି ନୂଆ ତାଲା ପକାଇ ଦେଇଥିଲେ। ପୁଲିସ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ମହିଳାମାନେ ଆନ୍ଦୋଳନରୁ ହଟିଥିଲେ ବି ଜିଲ୍ଲା ପ୍ରଶାସନକୁ ତାଗିଦ୍ କରି ଫେରିଥିଲେ। ଯଦି ଜିଲ୍ଲା ପ୍ରଶାସନ ଏଥର କଥା ନ ଶୁଣେ, ତେବେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ଓ ମହିଳାମାନେ ଆଇନକୁ ହାତକୁ ନେଇ ଦୋକାନକୁ ପୂରା ଭାଙ୍ଗିଦେବେ‌ ବୋଲି ଚେତାବନୀ ଦେଇଥିଲେ। ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଖଣ୍ଡଗିରି ଥାନା ଅଧିକାରୀଙ୍କୁ ଦେଇଛନ୍ତି।

ବରମୁଣ୍ଡା ତ୍ରିଶକ୍ତି ମହିଳା ସମିତି ଏହି ଆନ୍ଦୋଳନର ନେତୃତ୍ବ ନେଇଥିବା‌ ବେଳେ ୫୦ ନମ୍ବର ୱାର୍ଡ କର୍ପୋରେଟର ରାମଚନ୍ଦ୍ର ରଣସିଂହ ଓ ୬୩ ନମ୍ବର କର୍ପୋରେଟର ସୁଜାତା ଛୋଟରାୟ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ କିଛି ବର୍ଷ ପୂର୍ବେ ଏଠାରେ ମଦ ଦୋକାନକୁ ନେଇ ତୀବ୍ର ଆନ୍ଦୋଳନ କରାଯାଇଥିଲା। ଜାତୀୟ ରାଜପଥ କଡ଼ରୁ ମଦ ଦୋକାନ ହଟାଇବାକୁ ଯୋଜନା ହୋଇଥିବା ବେଳେ ବରମୁଣ୍ଡାରୁ ଏକ ମଦ ଦୋକାନ ଏଠାକୁ ସ୍ଥାନାନ୍ତର ହୋଇଥିଲା। କିନ୍ତୁ ଏହାକୁ ସେତେବେଳେ ବିରୋଧ କରାଯାଇଥିଲା। ଏମିତିକି ଦୋକାନ ଭଙ୍ଗାରୁଜା ଓ ରାସ୍ତାରୋକ୍‌ ପର୍ଯ୍ୟନ୍ତ କଥା ଯାଇଥିଲା।

Advertisement

ନିକଟରେ ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ବର ମନ୍ଦିର, ପ୍ରାଥମିକ ବିଦ୍ୟାଳୟ ଓ ଜନବସତି ଥିବାରୁ ଲୋକେ ମଦ ଦୋକାନକୁ ବିରୋଧ କରିଥିଲେ। ସେତେବେଳେ ସ୍ଥାନୀୟ ଲୋକଙ୍କ ବିରୋଧକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ସେଠାକୁ ମଦ ଦୋକାନ ସ୍ଥାନାନ୍ତର ହେବ ନାହିଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ପରିତାପର କଥା ଏବେ ସେହି ସ୍ଥାନରେ ପୁଣି ଏକ ନୂଆ ମଦ‌ଦୋକାନ ପାଇଁ ଜଣେ ବ୍ୟବସାୟୀଙ୍କୁ ଲାଇସେନ୍‌ସ ଦିଆଯାଇଛି। ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ପ୍ରତାରଣା କରିଛି ବୋଲି ତ୍ରିଶକ୍ତି ମହିଳା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି।

ଖଣ୍ଡଗିରି ଓ ବରମୁଣ୍ଡା ଅଞ୍ଚଳରେ ମାଳମାଳ ମଦ ଦୋକାନ ଥିବା ବେଳେ ଜନବସତିପୂର୍ଣ୍ଣ ଅଞ୍ଚଳ‌ରେ ଆଉ ଏକ ମଦ ଦୋକାନର କ’ଣ ଆବଶ୍ୟକ ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି। ସେମାନଙ୍କ କହିବା କଥା ଏହି ନୂଆ ରୋଡ୍‌କୁ ଲାଗି ରହିଛି ବରମୁଣ୍ଡା ଗାଁ, କ୍ରିଷ୍ଣା ଗାର୍ଡେନ୍‌, ମଲ୍ଲିକ କମ୍ପ୍ଲେକ୍‌ସ ଓ ସୌଭାଗ୍ୟନଗର ଭଳି ଘଦନ ଜନବସତି ଅଞ୍ଚଳ। ସେହିଭଳି ଏହି ରାସ୍ତାରେ ରହିଛି ଏକ ମହିଳା ମହାବିଦ୍ୟାଳୟ। ତେଣୁ ମଦ ଦୋକାନ ଖୋଲିଲେ, ଏଠାରେ ମଦୁଆଙ୍କ ପ୍ରାଦୁର୍ଭାବ ବଢ଼ିବ ଓ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେବ। ତେଣୁ ଏଠାରେ ତୁରନ୍ତ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ‌ବୋଲି ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *