Pratidin TV

Odisha's Digital News Platform

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ: ବିଦ୍ରୋହ ଡର, ତଥାପି ଝୁଲିଲା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ବିଏମ୍‌ସି ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ଦାଖଲ ଶେଷ ହେବ। କିନ୍ତୁ ରବିବାର ରାତି ସୁଦ୍ଧା ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରି ନାହାନ୍ତି। କଂଗ୍ରେସ ମଧ୍ୟ ୩୦ଟି ୱାର୍ଡର ପ୍ରାର୍ଥୀ ଘୋଷଣା କରି ବସି ପଡ଼ିଛି। ଆଜି ବିଭିନ୍ନ ଦଳର ଆଶାୟୀମାନେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବି ଦଳୀୟ ଟିକେଟ୍ ଦେଇ ପାରିନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଜେଡିର ୭ଟି ୱାର୍ଡର ପ୍ରାର୍ଥୀ ଚୟନରେ ଅଡ଼ୁଆ ରହିଥିଲା। ଏହି ୱାର୍ଡଗୁଡ଼ିକରେ ପ୍ରଭାବଶାଳୀ ଆଶାୟୀଙ୍କ ସଂଖ୍ୟା ଏତେ ଥିଲା ଯେ ବିଧାୟକମାନେ ହରଡ଼ଘଣାରେ ପଡ଼ିଯାଇଥିଲେ। ଗତକାଲି ବିଳମ୍ବିତ ରାତି ଯାଏ ବିଧାୟକ ଓ ଅନ୍ୟ ବରିଷ୍ଠ ନେତାମାନେ ବସି ଅଡ଼ୁଆ ତୁଟାଇଥିଲେ। ପ୍ରାର୍ଥୀ ମନୋନୟନ ହୋଇ ୬୭ ଜଣ ପ୍ରାର୍ଥୀଙ୍କ ଟିକେଟ୍ ତିନି ବିଧାୟକଙ୍କୁ ଧରାଇ ଦିଆଯାଇଥିଲା। କିନ୍ତୁ କିଛି ୱାର୍ଡରେ ଅସନ୍ତୋଷ ଏତେ ତୀବ୍ର ଅଛି ଯେ ବିଧାୟକମାନେ ଆଜି ପ୍ରାର୍ଥୀ ତାଲିକା ସାର୍ବଜନୀନ କରିବାକୁ ସାହସ କଲେ ନାହିଁ। କାଳେ ଅସନ୍ତୁଷ୍ଟ ଆଶାୟୀମାନେ ମେଳି ବାନ୍ଧି ଜଣଙ୍କୁ ସ୍ବାଧୀନ ଭାବେ ଆଗକୁ ଆଣିବେ, ସେହି ଭୟ ନେତାଙ୍କୁ ଘାରିଲା। ତେଣୁ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡି ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବ ଓ ଟିକେଟ୍ ଦାଖଲ କରିବାକୁ କୁହାଯିବ। ସମସ୍ତ ପ୍ରକାର ସତର୍କତା ସତ୍ତ୍ବେ କିଛି ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ ନେତାମାନେ ଅଡ଼ୁଆରେ ପକାଇବା ଥୟ। କାଲି ପ୍ରାର୍ଥିପତ୍ର ଦାଖଲ ପରେ ଏହି ଚିତ୍ର ସ୍ପଷ୍ଟ ହେବ।

ସେହିପରି ବିଜେପିର ୧୧ଟି ୱାର୍ଡରେ ପ୍ରାର୍ଥୀ ଚୟନରେ ଅସୁବିଧା ଥିଲା। ଏହା ସହ ଆଉ କିଛି ୱାର୍ଡରେ ବିଦ୍ରୋହୀ ପ୍ରାର୍ଥୀ ବାହାରିବାର ଆଶଙ୍କା ରହିଛି। ବିଜେଡିର ବିଦ୍ରୋହୀଙ୍କ ଉପରେ ମଧ୍ୟ ଦଳ ନଜର ରଖିଥିଲା। ସବୁ ଦିଗକୁ ବିଚାରକୁ ନେଇ ଆଜି ୬୭ଟି ଯାକ ୱାର୍ଡର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି। କିନ୍ତୁ ବିଜେଡି ସହ ଛକାପଞ୍ଝାରେ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରି ନାହିଁ।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ କଂଗ୍ରେସ ଆଗରେ ଥିଲେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟ ତାଲିକା ଆଉ ପ୍ରକାଶ କରିପାରୁନାହିଁ। ବିଜେଡି ପରି କଂଗ୍ରେସରେ ବିଦ୍ରୋହର ଆଶଙ୍କା ନାହିଁ। କିନ୍ତୁ ୧୫ରୁ ଅଧିକ ୱାର୍ଡରେ ଭଲ ପ୍ରାର୍ଥୀ ମିଳି ନଥିବା ଜଣାପଡ଼ିଛି। କିଛି ଅସନ୍ତୁଷ୍ଟ ବିଜେଡି ଓ ବିଜେପି ଆଶାୟୀ ପ୍ରାର୍ଥୀ କଂଗ୍ରେସ ଶିବିର ସହ ଯୋଗାଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *