Pratidin TV

Odisha's Digital News Platform

ଦୁବେ, ଉଥପ୍ପାଙ୍କ ପ୍ରହାରରେ ସିଏସ୍‌କେର ପ୍ରଥମ ବିଜୟ

ମୁମ୍ବଇ: ଚଳିତ ଆଇପିଏଲ୍‌ରେ ପ୍ରଥମ ୪ଟି ମ୍ୟାଚ୍‌ ହାରିବା ପରେ ବିଜୟଧାରାକୁ ଫେରିଛି ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୨୩ ରନ୍‌ରେ ସିଏସ୍‌କେ ପରାସ୍ତ କରିଛି। ରବିନ୍ ଉଥପ୍ପା ଓ ଶିବମ୍ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପ୍ରଥମେ ବ୍ୟାଟିଂକରି ସିଏସ୍‌କେ ୪ ୱିକେଟରେ ୨୧୬ ରନ୍‌ କରିଥିଲା। ପରେ ଦିନେଶ କାର୍ତ୍ତିକଙ୍କ ଲଢ଼ୁଆ ପ୍ରୟାସ ସତ୍ତ୍ବେ ଆର୍‌ସିବି ୯ ୱିକେଟରେ ୧୯୩ ରନ୍‌ କରି ପାରିଥିଲା। ୫ମ ମ୍ୟାଚ୍‌ରେ ସିଏସ୍‌କେର ଏହା ପ୍ରଥମ ବିଜୟ। ଅନ୍ୟପକ୍ଷରେ ୫ମ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗିଛି ଆର୍‌ସିବି।

୨୧୭ ରନ୍‌ ଲକ୍ଷ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫୦ ରନ୍‌ରେ ୪ଟି ୱିକେଟ ହରାଇଥିଲା। ଅଧିନାୟକ ଫାଫ୍ ଡୁ ପ୍ଲେସି ୮ ରନ୍‌କରି ଆଉଟ ହୋଇଥିଲେ। ପରେ ବିରାଟ କୋହଲି (୧)ଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ ମୁକେଶ ଚୌଧୁରୀ। ଅନୁଜ ରାୱତ ୧୨ ରନ୍‌ କରି ପାରିଥିଲେ। ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଁ ଏହା କ୍ଷଣସ୍ଥାୟୀ ଥିଲା। ମ୍ୟାକ୍ସୱେଲ ୧୧ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍‌କରି ଆଉଟ ହୋଇଥିଲେ। ପରେ ଶାହ୍‌ବାଜ ଅହମ୍ମଦ ଓ ସୁୟାଶ ପ୍ରଭୂଦେଶାଇ ଲଢ଼ୁଆ ବ୍ୟାଟିଂକରି ୬୦ ରନ୍‌ ଯୋଡ଼ିଥିଲେ। ଗୋଆର ପ୍ରଭୂଦେଶାଇ ୧୮ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୪ ରନ୍‌ କରିଥିଲେ। ଶାହ୍‌ବାଜ ୨୭ ବଲ୍‌ରୁ ୪ଟି ଚୌକା ସହ ୪୧ ରନ୍‌ କରିଥିଲେ। ୱାନିନ୍ଦୁ ହସରଙ୍ଗା ୭ ରନ୍‌କରି ବିଦାୟ ନେଇଥିଲେ। ଦିନେଶ କାର୍ତ୍ତିକ ଶେଷଆଡ଼କୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଁ ତାଙ୍କ ଆଉଟ୍‌ ନିର୍ଣ୍ଣାୟକ ହୋଇଥିଲା। କାର୍ତ୍ତିକ ୧୪ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୪ ରନ୍‌ କରିଥିଲେ। ଦୁଇ ସ୍ପିନର ମାହିଶ ତୀକ୍ଷଣ ୪ଟି ଓ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ନେଇଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ଜିତି ବ୍ୟାଟିଂ ନେବା ପରେ ଚେନ୍ନଇ ସୁପର କିଙ୍ଗ୍‌ସ ୩୭ ରନ୍‌ରେ ୨ଟି ୱିକେଟ ହରାଇଥିଲା। ଋତୁରାଜ ଗାଏକ୍‌ୱାଡ ୧୭ ଓ ମୋଇନ୍‌ ଅଲୀ ୩ ରନ୍‌କରି ବିଦାୟ ନେଇଥିଲେ। ଓପ୍‌ନର ରବିନ୍ ଉଥପ୍ପା ଓ ଶିବମ୍ ଦୁବେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଫଳରେ ୧୦ ଓଭରରେ ମାତ୍ର ୬୦ ରନ୍‌ କରିଥିବା ସିଏସ୍‌କେ ଶେଷ ୧୦ ଓଭରରୁ ୧୫୬ ରନ୍‌ କରି ପାରିଥିଲା। ଉଥପ୍ପା ଓ ଦୁବେ ୩ୟ ୱିକେଟ ପାଇଁ ୧୨ ଓଭରରୁ ୧୬୫ ରନ୍‌ ଯୋଡ଼ିଥିଲେ। ଉଥପ୍ପା ୫୦ ବଲ୍‌ରୁ ୯ଟି ଛକା ଓ ୪ଟି ଚୌକା ସହ ୮୮ ରନ୍‌କରି ଆଉଟ ହୋଇଥିଲେ। ଦୁବେ ୪୬ ବଲ୍‌ରୁ ୮ଟି ଛକା ଓ ୫ଟି ଚୌକା ସହ ୯୫ ରନ୍‌କରି ଅପରାଜିତ ଥିଲେ। ହସରଙ୍ଗା ୨ଟି ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *