ସମ୍ପ୍ରସାରଣ ଚାହୁଛି ଏମ୍ସ: ବାଧକ ସାଜିଛି ଜମି
1 min readଚକାଚକ୍ କୋଠାରେ ଉଚ୍ଚମାନର ଚିକିତ୍ସା, ରୋଗୀଙ୍କୁ ମିଳୁଛି ତାରିଖ
ଭୁବନେଶ୍ବର: ଚକାଚକ୍ କୋଠାରେ ବଡ଼ ଡାକ୍ତରଙ୍କ ଭଲ ଚିକିତ୍ସା। ଉଚ୍ଚମାନର ସୁବିଧା, ମାଗଣା କିମ୍ବା ରିହାତିରେ ପରୀକ୍ଷଣ ବ୍ୟବସ୍ଥା। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ରାଜଧାନୀର ବଡ଼ ଘରୋଇ ଡାକ୍ତରଖାନାରେ ଯେଉଁ ସୁବିଧା ମିଳେ, ଏମ୍ସ ଆସୁଥିବା ଗରିବ କିମ୍ବା ନିମ୍ନମଧ୍ୟବିତ୍ତ ରୋଗୀଙ୍କ ପାଇଁ ରହିଛି ସେହି ବ୍ୟବସ୍ଥା। ଏଠାକୁ ଯେଉଁ ସଂଖ୍ୟାରେ ରୋଗୀ ଆସନ୍ତି ସେହି ସଂଖ୍ୟାରେ ଡାକ୍ତର, ଶଯ୍ୟା, ଓଟି, ପରୀକ୍ଷଣ ଯନ୍ତ୍ରପାତି ନଥିବାରୁ ଅନେକ ରୋଗୀ ନିରାଶ ହୋଇ ଫେରି ଯାଆନ୍ତି। ଯେଉଁମାନେ ବି ଚିକିତ୍ସିତ ହୁଅନ୍ତି ସେମାନଙ୍କୁ ଲମ୍ବା ଧାଡ଼ି ସହିତ ୩ରୁ ସାଢେ ୩ ମାସ ପର୍ଯ୍ୟନ୍ତ ଅପେକ୍ଷାର କଷ୍ଟ ସହିବାକୁ ପଡ଼େ। ଏମଆରଆଇ, ଅଲଟ୍ରାସାଉଣ୍ଡ କିମ୍ବା ଯେକୌଣସି ପ୍ରକାର ପରୀକ୍ଷା ମଧ୍ୟ ତୁରନ୍ତ ହୋଇପାରେ ନାହିଁ। ଏଭଳି ସ୍ଥିତିରେ ଏମ୍ସ ଭୁବନେଶ୍ବରର ସମ୍ପ୍ରସାରଣର ଆବଶ୍ୟକତା ରହିଥିବା କହିଛନ୍ତି ବିଶେଷଜ୍ଞ, ରୋଗୀ ଏବଂ ସ୍ଥାନୀୟ ଅଧିବାସୀ। ଏଥିପାଇଁ ଜମି ବାଧକ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।ବିଶେଷଜ୍ଞଙ୍କ ଅନୁସାରେ, ପ୍ରତିଦିନ ଏମ୍ସ ଓପିଡିକୁ ଆସନ୍ତି ୩୦୦୦ରୁ ୩୫୦୦ ରୋଗୀ। ୩ଟି ଫ୍ଲୋରରେ ସେମାନଙ୍କ ଚିକିତ୍ସା ସୁବିଧା ରହିଛି। ଯେତେ ସଂଖ୍ୟାରେ ରୋଗୀ ଥାଆନ୍ତି, ସେହି ସ୍ଥାନଟି ନିଅଣ୍ଟ ହୋଇଯାଏ। ଅନ୍ୟୁନ ଆଉ ୨ଟି ଫ୍ଲୋରରେ ଓପିଡି ବ୍ୟବସ୍ଥା ହେବା ଉଚିତ। ଭର୍ତ୍ତି ହୋଇ ଚିକିତ୍ସା ପାଇଁ ଏଠାରେ ଥିବା ୩୦ ବିଭାଗରେ ୯୭୮ ଶଯ୍ୟା, ଏବଂ ୨୦ଟି ଓଟି ରହିଛି। ଏମ୍ସର ମେଡିସିନ ଓପିଡି ବିଭାଗକୁ ପ୍ରତିଦିନ ୩୦୦ରୁ ୪୦୦ ରୋଗୀ ଆସନ୍ତି। ଏଠାରେ ଥିବା ୮୦ ଶଯ୍ୟା ସେମାନଙ୍କ ପାଇଁ ନିଅଣ୍ଟ ହୁଏ। ଏଠାରେ ଅନ୍ୟୁନ ୨୦୦ ଶଯ୍ୟା କରାଯିବା ଉଚିତ ବୋଲି କୁହାଯାଏ। ଅସ୍ଥିଶଲ୍ୟ ବିଭାଗ ଓପିଡିକୁ ଆସୁଥିବା ୩୦୦ରୁ ୪୦୦ ରୋଗୀଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କୁ ଭର୍ତ୍ତି କରି ଚିକିତ୍ସା କରିବାର ଆବଶ୍ୟକତା ରହିଥାଏ। ସେଥିରେ ପୁଣି ଅଧିକାଂଶଙ୍କୁ ଅସ୍ତ୍ରୋପଚାରର ପରାମର୍ଶ ଦିଆଯାଏ। ମାତ୍ର ଏହି ବିଭାଗରେ ମାତ୍ର ୩୦ଟି ଶଯ୍ୟା ରହିଛି। ଯାହା ରୋଗୀଙ୍କ ଆବଶ୍ୟକତାକୁ ପୂରଣ କରିପାରେ ନାହିଁ। ଫଳରେ ତତ୍କ୍ଷଣାତ ଚିକିତ୍ସାର ଆବଶ୍ୟକ କରୁଥିବା ରୋଗୀ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଥାଆନ୍ତି।