Pratidin TV

Odisha's Digital News Platform

ମହିଳା ଦିବସ ଅବସରରେ ରୋଷେଇ ସାମଗ୍ରୀ ଉପରେ ରିହାତି ପ୍ରଦାନ କରିଥିବାରୁ କ୍ଷମା ମାଗିଲା ଫ୍ଲିପ୍‌କାର୍ଟ

1 min read

ନୂଆଦିଲ୍ଲୀ: ଗତକାଲି (ମାର୍ଚ ୮) ସାରା ବିଶ୍ବ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି। ଅନେକ ସଂସ୍ଥା ମହିଳାଙ୍କୁ ନେଇ ସ୍ବତନ୍ତ୍ର ପୋଷ୍ଟ୍‌ କରି ଚର୍ଚ୍ଚାରେ ରହିଥିବା ବେଳେ ନିନ୍ଦାର ପାତ୍ର ପାଲଟିଛି ଇ-କମର୍ସ ସାଇଟ୍‌ ଫ୍ଲିପ୍‌କ‌ାର୍ଟ। ଫ୍ଲିପ୍‌କ‌ାର୍ଟ ମହିଳା ଦିବସ ଅବସରରେ ରୋଷେଇ ସାମଗ୍ରୀ ଉପରେ ରିହାତି ପ୍ରଦାନ କରି ସମାଲୋଚନାର ପାତ୍ର ହୋଇଛି।

ଫ୍ଲିପ୍‌କାର୍ଟ ପକ୍ଷରୁ କିଛି ଗ୍ରାହକଙ୍କ ନିକଟକୁ ଏକ ବାର୍ତ୍ତା ପଠା ଯାଇଥିଲା। ସେଥିରେ ଲେଖାଥିଲା, ‘ପ୍ରିୟର ଗ୍ରାହକ, ଏହି ମହିଳା ଦିବସକୁ ପାଳନ କରିବା। ଏହି ଦିବସ ଅବସରରେ ଫ୍ଲିପ୍‌କ‌ାର୍ଟ ଆପଣଙ୍କୁ ୨୯୯ଟଙ୍କାରୁ ରୋଷେଇ ସାମଗ୍ରୀ ପ୍ରଦାନ କରୁଛି’।

ସେହି ମେସେଜ୍‌ର ଏକ ସ୍କ୍ରିନ୍‌ସଟ୍‌ ନେଇ ଟ୍ବିଟର୍‌ରେ ପୋଷ୍ଟ୍‌ କରିଥିଲେ ବ୍ୟବହାରକାରୀ ରାଜ୍‌ ଏସ୍‌। ଏହି ପୋଷ୍ଟ୍‌ ଦେଖି ଅନେକ ବ୍ୟବହାରକାରୀ ବୁଝି ଯାଇଥିଲେ ଯେ ରୋଷେଇ ସାମଗ୍ରୀ କେବଳ ମହିଳାଙ୍କର ବୋଲି ଫ୍ଲିପ୍‌କ‌ାର୍ଟ ପରୋକ୍ଷ ଭାବରେ ଦର୍ଶାଇଛି, ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ଝଡ଼ ସୃଷ୍ଟି ହୋଇଥିଲା।

କେହି କେହି ଏହି ମେସେଜ୍‌ରେ ସେପରି ଅପମାନଜନକ କଥା କିଛି ନାହିଁ ବୋଲି ଦର୍ଶାଇଥିବା ବେଳେ ଆଉ କେହି ଏହାର ଅର୍ଥ କାଢ଼ି ମହିଳାମାନଙ୍କ ସ୍ଥାନ ରୋଷେଇ ଘରେ ବୋଲି ଫ୍ଲିପ୍‌କାର୍ଟ ଦର୍ଶାଇଥିବା ଲେଖିଛନ୍ତି।

ଯାହାବି ହେଉ, ସାମାଜିକ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ଜୋର୍‌ ଧରିବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ଫ୍ଲିପ୍‌କାର୍ଟ କ୍ଷମା ମାଗିଛି। କମ୍ପାନି ପକ୍ଷରୁ ଏକ ଟ୍ବିଟ୍‌ ଯୋଗେ ଲେଖାଯାଇଛି, ‘ଆମେ ମେସେଜ୍‌ କରିଥିଲୁ, ସେଥିପାଇଁ ଦୁଃଖିତ। ଆମେ ଜାଣିଶୁଣି କାହାକୁ ଆଘାତ ଦେଇନାହୁଁ। ମହିଳା ଦିବସ ଅବସରରେ ପଠା ଯାଇଥିବା ମେସେଜ୍‌ ପାଇଁ ଆମେ ଦୁଃଖିତ’।

Leave a Reply

Your email address will not be published. Required fields are marked *