ଗୁଜରାଟ-ରାଜସ୍ଥାନ କ୍ବାଲିଫାୟର-୧ ମୁକାବିଲା ଆଜି
1 min readକଲକାତା : ଚଳିତ ଆଇପିଏଲ୍ର ଏବେ ଟ୍ରଫି ପାଇଁ ୪ଟି ଦଳ ମଧ୍ୟରେ ଲଢ଼େଇ। ମଙ୍ଗଳବାର ପଏଣ୍ଟ ଟେବୁଲର ପ୍ରଥମ ୨ଟି ସ୍ଥାନରେ ଥିବା ଦଳ ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଇଡେନ୍ ଗାର୍ଡେନ୍ସରେ କ୍ବାଲିଫାୟର-୧ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ଏହି ମ୍ୟାଚ୍ ଜିତି ସିଧାସଳଖ ଫାଇନାଲରେ ପହଞ୍ଚିବାକୁ ଚାହିଁବେ। ଅବଶ୍ୟ ପରାଜିତ ଦଳ ପାଇଁ ଫାଇନାଲରେ ପହଞ୍ଚିବା ପାଇଁ ଏଲିମିନେଟର ମ୍ୟାଚ୍ ଖେଳିବାର ୨ୟ ସୁଯୋଗ ମଧ୍ୟ ରହିବ। ଚଳିତବର୍ଷ ନୂଆ ଦଳ ଭାବେ ଆଇପିଏଲ୍ ଖେଳିଥିବା ଗୁଜରାଟ ଟାଇଟାନ୍ସ ସମସ୍ତଙ୍କୁ ଚମକାଇ ୧୪ରୁ ୧୦ଟି ମ୍ୟାଚ୍ ଜିତି ସିଧାସଳଖ କ୍ବାଲିଫାୟରରେ ପହଞ୍ଚିଛି। ରାଜସ୍ଥାନ ରୟାଲ୍ସ ୯ଟି ମ୍ୟାଚ୍ ଜିତି ୨ୟ ସ୍ଥାନରେ ରହିଛି। ହେଲେ କ୍ବାଲିଫାୟର-୧ ମ୍ୟାଚ୍ରେ ଲିଗ୍ ମ୍ୟାଚ୍ର ଫଳାଫଳର କିଛି ମାନେ ନାହିଁ। ଟ୍ବେଣ୍ଟି୨୦ କ୍ରିକେଟ୍ରେ ସେହିଦିନ ଯେଉଁ ଦଳ ଭଲ ଖେଳିବ; ସେ ହିଁ ବିଜୟୀ ହେବ।
ଗୁଜରାଟ ଟାଇଟାନ୍ସ ଲିଗ୍ ପର୍ଯ୍ୟାୟରେ ରାଜସ୍ଥାନ ରୟାଲ୍ସକୁ ୩୭ ରନ୍ରେ ପରାସ୍ତ କରିଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଅପରାଜିତ ବିସ୍ଫୋରକ ୮୭ ଓ ଅଭିନବ ମନୋହର ଦ୍ରୁତ ୪୩ ରନ୍ କରିଥିଲେ। ଜୋସ୍ ବଟ୍ଲରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ରାଜସ୍ଥାନ ପଛରେ ରହି ଯାଇଥିଲା। ୟଶ ଦୟାଲ୍ ଓ ଲୋକି ଫର୍ଗୁସନ୍ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଗୁଜରାଟର ବ୍ୟାଟିଂ ମୁଖ୍ୟତଃ ହାର୍ଦିକ ପାଣ୍ଡ୍ୟାଙ୍କ ସହ ଶୁବ୍ମାନ ଗିଲ୍, ଡେଭିଡ୍ ମିଲର, ରାହୁଲ ତିୱତିଆ ଓ ଋଦ୍ଧିମାନ ଶାହାଙ୍କ ଉପରେ ନିର୍ଭର କରିଥାଏ। ଟୁର୍ଣ୍ଣାମେଣ୍ଟରେ ଗୁଜରାଟର ବୋଲିଂ ସବୁଠାରୁ ଶକ୍ତିଶାଳୀ। ପେସ୍ ବୋଲର ମହମ୍ମଦ ସାମି, ଲୋକି ଫର୍ଗୁସନ୍, ଆଲ୍ଜାରି ଜୋସେଫ୍ ଭଲ ପ୍ରଦର୍ଶନ କରିଛନ୍ତି। ଲେଗ୍ସ୍ପିନର ରସିଦ୍ ଖାଁ ବିଶ୍ବର ଯେକୌଣସି ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରନ୍ତି। ଅନ୍ୟପକ୍ଷରେ ରାଜସ୍ଥାନର ବୋଲିଂର ମେରୁଦଣ୍ଡ ହେଉଛନ୍ତି ଏହାର ସ୍ପିନର।3
ରବିଚନ୍ଦ୍ରନ ଅଶ୍ବିନ ଓ ୟୁଜବେନ୍ଦ୍ର ଚହଲ ଟୁର୍ଣ୍ଣାମେଣ୍ଟର ଦୁଇ ସଫଳ ସ୍ପିନର। ଦଳର ଦୁଇ ପ୍ରମୁଖ ପେସ୍ ବୋଲର ହେଲେ ଟ୍ରେଣ୍ଟ୍ ବୋଲ୍ଟ ଓ ପ୍ରସିଦ୍ଧ କ୍ରିଷ୍ଣା। ରାଜସ୍ଥାନର ବ୍ୟାଟିଂ ହିରୋ ହେଲେ ଜୋସ୍ ବଟ୍ଲର। ଅଦ୍ୟାବଧି ବଟ୍ଲର ସର୍ବାଧିକ ରନ୍କରି ନାରଙ୍ଗୀ ଟୋପି ପିନ୍ଧିଛନ୍ତି। ଏଥିରେ ଅଛି ୩ଟି ଶତକ। ହେଲେ ଗତ ୩ଟି ମ୍ୟାଚ୍ରେ ବଟ୍ଲରଙ୍କ ସ୍କୋର୍ ହେଉଛି ୨, ୨ ଓ ୭। ଏହି ମ୍ୟାଚ୍ରେ ଜିତିବାକୁ ହେଲେ ବଟ୍ଲରଙ୍କୁ ବଡ଼ ସ୍କୋର୍ କରିବାକୁ ପଡ଼ିବ। ସଞ୍ଜୁ ସାମ୍ସନ ପ୍ରାୟ ସମସ୍ତ ମ୍ୟାଚ୍ରେ ସେଟ୍ ହୋଇ ୱିକେଟ ଫିଙ୍ଗିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୟସୱାଲ ଓ ଦେବଦତ୍ତ ପାଡିକଲ ଭଲ ଫର୍ମରେ ଅଛନ୍ତି। ସିମ୍ରନ୍ ହେତ୍ମେୟର ସ୍ଲଗ୍ ଓଭରରେ ଆକ୍ରମଣ କରୁଛନ୍ତି। ଶେଷ ଲିଗ୍ ମ୍ୟାଚ୍ରେ ଅଶ୍ବିନ ମଧ୍ୟ ବ୍ୟାଟିଂରେ ଦଳକୁ ଜିତାଇଛନ୍ତି। ତେଣୁ ରାଜସ୍ଥାନ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଗୁଜରାଟ ଅପରାଜେୟ ମନେ ହୋଇଥିଲେ ହେଁ ଗତ ୫ଟି ମ୍ୟାଚ୍ରୁ ଏହା ୩ଟି ହାରିଛି। ଗୁଜରାଟ ମୋଟ ୪ଟି ମ୍ୟାଚ୍ ହାରିଥିଲେ ହେଁ ଏଥିରୁ ୩ଟି ମ୍ୟାଚ୍ରେ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ପୁଣି ରାଜସ୍ଥାନ ୫ଟି ମ୍ୟାଚ୍ ହାରିଥିବା ବେଳେ ୪ଟି ମ୍ୟାଚ୍ ପ୍ରଥମେ ବ୍ୟାଟିଂକରି ହାରିଛି। ତେଣୁ ଟସ୍ ମଧ୍ୟ ଗୁରୁତ୍ବପୂର୍ଣ୍ଣ ହେବ। ରବିବାର ଝଡ଼ତୋଫାନରେ ଇଡେନ୍ ଗାର୍ଡେନ୍ସର ବହୁତ କ୍ଷତି ଘଟିଛି। ସୋମବାର ତରବରିଆ ମରାମତି କାମ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ବର୍ଷାର ଆଶଙ୍କା ରହିଛି।