ଓଡ଼ିଶା ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ବିରୁଦ୍ଧରେ ସିବିଆଇ ଦାବି
1 min readଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ବିରୁଦ୍ଧରେ ସିବିଆଇ. ତଦନ୍ତ ସହ ମେଧାବୀ ଶିକ୍ଷକ ଆଶାୟୀଙ୍କୁ ନ୍ୟାୟ ଦାବିରେ ଏଆଇଏସଏଫ ନେତୃତ୍ୱରେ ‘ଶିକ୍ଷା ବଞ୍ଚାଅ – ଓଡ଼ିଶା ବଞ୍ଚାଅ ଅଭିଯାନ’ ପକ୍ଷରୁ ଗତ ୧୧ ତାରିଖଠାରୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ଦୁର୍ନୀତିର ଘଣ୍ଟ ଘୋଡାଇବା ପାଇଁ ଶିକ୍ଷା ବିଭାଗର କୌଣସି ଉଚ୍ଚ ଅଧିକାରୀ ଏହି ଆନ୍ଦୋଳନକାରୀଙ୍କ ସହ କୌଣସି ଆଲୋଚନା ନ କରିଥିଲେ। ତେବେ ଆଜି ଏହି ଛାତ୍ରଛାତ୍ରୀଙ୍କୁ ପୁଲିସ୍ ଲଗାଇ ଗିରଫ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଆଇଏସଏଫ ରାଜ୍ୟ ସଭାପତି ତଥା ଅଭିଯାନର ଆବାହକ ସଂଘମିତ୍ରା ଜେନା ଗିରଫ ସମୟରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ନେତା, ମନ୍ତ୍ରୀ ଓ ଅଫିସରଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଷଡ଼ଯନ୍ତ୍ରମୂଳକ ଭାବେ ଧ୍ୱଂସ କରିବା ପାଇଁ ସିଏଚଟି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଛି। ସରକାରୀ ଶିକ୍ଷାକୁ ଧ୍ୱଂସ କରିବା ପାଇଁ ରାଜ୍ୟର ଘରୋଇ ଶିକ୍ଷାବେପାରୀଙ୍କ ଲୋଭ ଓ ଲାଭ ଚରିତାର୍ଥ କରିବା ସହ ରାଜ୍ୟର ଭବିଷ୍ୟତ ଅନ୍ଧାର କରିବା ପାଇଁ ଏହା ଏକ ସରକାରୀ ଷଡ଼ଯନ୍ତ୍ର। ଆମ ଗିରଫରେ ଆନ୍ଦୋଳନ ଦବିଯିବ ନାହିଁ ବରଂ ଆହୁରି ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।