Pratidin TV

Odisha's Digital News Platform

ରେଳ ଯାତ୍ରା ବୀମା: ମିଳିବ ୧୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସିର ଖବର । ଯାତ୍ରୀଙ୍କ ପାଇଁ ରେଳ ବିଭାଗ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ଯାତ୍ରୀମାନେ ଏବେ ରେଳ ଟ୍ରାଭେଲ ଇନସ୍ୟୁରାନ୍ସର ସୁବିଧା ନେଇପାରିବେ । ଏଥି ପାଇଁ ଯାତ୍ରୀମାନଙ୍କୁ ମାତ୍ର କିଛି ଟଙ୍କା ଦେବାକୁ ହେବ । ଯାହା ଦ୍ୱାରା ରେଳଯାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମିଳିବ ।

ଭାରତର ରେଳ ​‌ନେଟଓ୍ୱର୍କ ହେଉଛି ବିଶ୍ୱର ସବୁଠୁ ବଡ଼ ରେଳ ନେଟ୍‌ଓ୍ୱର୍କ । ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ରେଳ ବିଭାଗ ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଥାଏ । ବହୁତ ଲୋକ ରେଲୱେ ଟ୍ରାଭେଲ ଇନସୁରାନ୍ସ ପାଇଁ ପସନ୍ଦ କରିନଥାନ୍ତି । କାରଣ ଏହି ବୀମା ବିଷୟରେ ଅନେକ ଲୋକ ଖୁବ୍‌ କମ୍‌ ଜାଣିଥାନ୍ତି । ଏହି ବୀମା କରିବା ଦ୍ୱାରା ରେଳ ଯାତ୍ରାରେ ହେଉଥିବା କ୍ଷତି ପାଇଁ କମ୍ପାନୀ କ୍ଷତିପୂରଣ ଦେଇଥାଏ । ଆପଣଙ୍କ ଯାତ୍ରା ସମୟରେ କିଛି କ୍ଷତି ହେଲେ କ୍ଷତି ବାବଦକୁ ଆପଣଙ୍କୁ ୨ଲକ୍ଷରୁ ୧୦ ଲକ୍ଷଟଙ୍କା ପର୍ଯ୍ୟନ୍ତ ମିଳିପାରିବ ।

ଯେତବେଳେ ଆପଣ ଅନଲାଇନରେ ରେଳ ଟିକେଟ ବୁକିଂ କରୁଛନ୍ତି ସେତେବେଳେ ବୀମା ବିକଳ୍ପ ବାଛନ୍ତୁ । ଏହି ବୀମା ପାଇଁ ଆପଣଙ୍କୁ ମାତ୍ର କିଛି ଟଙ୍କା ଦେବାକୁ ପଡ଼ିବ । ବୀମା ବିକଳ୍ପ ବାଛିବା ସମୟରେ ଆପଣ ଆପଣଙ୍କ ମୋବାଇଲ ନଂ ଏବଂ ଇମେଲ ଆଇଡିର ଲିଂକ ଚୟନ କରିବାକୁ ପଡ଼ିବ । ସେଠାରେ ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ଆପଣ ରେଳ ଟ୍ରାଭେଲ ଇନସ୍ୟୁରାନ୍ସର ସୁବିଧା ନେଇପାରିବେ  ।

ରେଳ ଦୁର୍ଘଟଣା ସମୟରେ ରେଳ ଯାତ୍ରା ବୀମା ଅତ୍ୟନ୍ତ ଉପଯୋଗୀ । ଯାତ୍ରୀଙ୍କ ହୋଇଥିବା କ୍ଷତି ବୀମା କମ୍ପାନୀ କ୍ଷତିପୂରଣ ଦେଇଥାଏ । ରେଳ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହେଲେ ବୀମା ରାଶି ହିସାବରେ ୧୦ ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ମିଳିବ । ଦୁର୍ଘଟଣାରେ ଯାତ୍ରୀ ଜଣକ ଯଦି ସଂପୂର୍ଣ୍ଣ ଅକ୍ଷମ ହୋଇଯାଆନ୍ତି ତେବେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେବ ବୀମା କମ୍ପାନୀ । ଏଥି ସହିତ, ଆଂଶିକ ଅକ୍ଷମତା ହେଲେ ବୀମା କମ୍ପାନୀ ରେଳ ଯାତ୍ରୀଙ୍କୁ ସାଢ଼େ ୭ଲକ୍ଷ ଟଙ୍କା ପ୍ରଦାନ କରିବ । ଆହତ ଅବସ୍ଥାରେ ଯାତ୍ରୀ ଜଣକ ଯଦି ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ତେବେ ଚିକିତ୍ସା ବାବଦକୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ବୀମା କମ୍ପାନୀ । ତାହା ଛଡ଼ା ରେଳ ଯାତ୍ରା ସମୟରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯାତ୍ରୀଙ୍କ ମୃତଦେହ ପରିବହନ ପାଇଁ ୧୦ ହଜାର ଟଙ୍କା ମଧ୍ୟ କମ୍ପାନୀ ଦେଇଥାଏ।

Leave a Reply

Your email address will not be published. Required fields are marked *