ମହିଳା ବିଶ୍ଵକପର ଦ୍ଵିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଭାରତ
1 min readହାମିଲଟନ: ନ୍ୟୁଜିଲାଣ୍ଡର ହାମିଲଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମହିଳା ବିଶ୍ଵକପର ଅଷ୍ଟମ ମ୍ୟାଚରେ ଭାରତ ୬୨ ରନରେ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ବରଣ କରିଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୬୦ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ତରଫରୁ ଏସ୍ ଡେଭିନ୍ ୩୫(୩୦ ବଲ୍), ଆମେଲିଆ କେର୍ ୫୦(୬୫ ବଲ୍), ଆମି ସାଟ୍ଟେର୍ଥଓ୍ୱେଟ୍ ୭୫(୮୪ ବଲ୍), ମାଡ୍ଡି ଗ୍ରୀନ୍ ୨୭(୩୬ ବଲ୍), କାଟେ ମାର୍ଟିନ୍ ୪୧(୫୧ ରନ୍) କରିଥିଲେ, ଯାହା ଫଳରେ ନ୍ୟୁଜିଲାଣ୍ଡ ୨୬୦ ରନ୍ କରିପାରିଥିଲା।
ଭାରତୀୟ ଦଳ ପକ୍ଷରୁ ପୂଜା ଭସ୍ତ୍ରକାର ୧୦ ଓଭରରେ ୩୪ ରନ୍ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିଲେ। ରାଜେଶ୍ଵରୀ ଗାଏକ୍ଵାଡ୍ ୨ଟି, ଝୁଲନ୍ ଗୋସ୍ଵାମୀ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡର ଜଣେ ଖେଳାଳି ରନ୍ ଆଉଟ୍ ହୋଇଥିଲେ।
ଏହା ପରେ ୨୬୧ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ଭାରତୀୟ ବ୍ୟାଟରମାନେ ଅତ୍ୟନ୍ତ ଧୀମା ଖେଳିଥିଲେ ଯାହା ଭାରତ ପାଇଁ କାଳ ପାଲଟିଥିଲା। ୫.୪ ଓଭରରେ ସ୍ମ୍ରିତି ମାନ୍ଧାନା ୨୧ଟି ବଲ ଖେଳି ୬ ରନରେ ଆଉଟ୍ ହୋଇଥିଲେ। ୟାସିକା ଭାଟିଆ ୨୮(୫୯ ବଲ୍), ଦୀପ୍ତି ଶର୍ମା ୫(୧୩ ବଲ୍), ମିଥାଲି ରାଜ୍ ୩୧(୫୬ ବଲ୍), ସ୍ନେହା ଶର୍ମା ୧୮(୨୮ ବଲ୍) ରନ୍ କରିଥିଲେ। ଭାରତ ତରଫରୁ ଏକା ହରମପ୍ରୀତ୍ କୌର୍ ଲଢୁଆ ଓ ଦ୍ରୁତ ଖେଳିଥିଲେ। ହରମପ୍ରୀତ୍ ୬୩ଟି ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ସହ ୭୧ ରନ୍ କରିଥିଲେ। ହରମପ୍ରୀତ୍ କୌରଙ୍କୁ ଅନ୍ୟ କେହି ଖେଳାଳି ସହଯୋଗ ନକରିବାରୁ ଭାରତ ୪୬.୪ ଓଭରରେ ମାତ୍ର ୧୯୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ଓ ୬୨ ରନରେ ପରାଜୟ ବରଣ କରିଥିଲା।
ନ୍ୟୁଜିଲାଣ୍ଡ ତରଫରୁ ଲିଆ ତାହୁହୁ ଓ ଆମେଲିଆ କେର୍ ୩ଟି ଲେଖାଏଁ ଓ୍ଵିକେଟ୍ ହାସଲ କରିଥିଲେ। ହେଲି ଜେନ୍ସନ୍ ୨ଟି, ଜେସ୍ କେର୍ ଓ ହାନ୍ନା ରଓ୍ୱେ ୧ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୮୪ଟି ବଲ୍ ଖେଳି ୯ଟି ଚୌକା ସହ ୭୫ ରନ୍ କରିଥିବା ନ୍ୟୁଜିଲାଣ୍ଡର ବ୍ୟାଟର୍ ଆମି ସାଟ୍ଟେର୍ଥଓ୍ୱେଟଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା। ଭାରତ ପରବର୍ତ୍ତୀ ମ୍ୟାଚ୍ ଓ୍ୱେଷ୍ଟଇଣ୍ଡିଜ୍ ବିରୋଧରେ ଆସନ୍ତା ୧୨ ତାରିଖ ଖେଳିବ।