Pratidin TV

Odisha's Digital News Platform

ଅଗ୍ନିବୀରଙ୍କୁ ମିଳିବ ଏହି ସବୁ ସୁବିଧା: ବାୟୁସେନା କଲା ବଡ ଘୋଷଣା

1 min read

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ଜାରି କଲା ବାୟୁସେନା । ଆଜି ଭାରତୀୟ ବାୟୁସେନା ପକ୍ଷରୁ ଯୋଜନାର ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି । ସେନାରେ ଭର୍ତ୍ତି ପାଇଁ ବୟସ ସୀମା ଠାରୁ, ଯୋଗ୍ୟତା ମାନଦଣ୍ଡ, ଦରମା, ବୀମା, ଛୁଟି, ପୁରସ୍କାର ଏବଂ ଚିକିତ୍ସା ସୁବିଧା ସମ୍ପର୍କିତ ସମସ୍ତ ତଥ୍ୟ ଉଲ୍ଲେଖ କରାଯାଇଛି । ଅଗ୍ନିପଥ ଯୋଜନାରେ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ବାର୍ଷିକ ୩୦ ଦିନ ଛୁଟି ପାଇବେ ଅଗ୍ନିବୀର । ଏହାବାଦ୍ ମେଡିକାଲ ଛୁଟି ମଧ୍ୟ ରହିଛି । ଏଥିସହ ସେମାନଙ୍କ ପାଇଁ ୟୁନିଫର୍ମ ଏବଂ କ୍ୟାଣ୍ଟିନ ସୁବିଧା ମଧ୍ୟ ଉପଲବ୍ଧ ହେବ ।

ଏହି ଯୋଜନାରେ ନିଯୁକ୍ତ ଅଗ୍ନିବୀରଙ୍କୁ ମାସିକ ୩୦ ହଜାର ଟଙ୍କା ଦରମା ପ୍ରଦାନ କରାଯିବ । ବର୍ଷକୁ ବର୍ଷ ସେମାନଙ୍କ ଦରମା ବୃଦ୍ଧି ପାଇବ । ଯଦି ଦୁର୍ଭାଗ୍ୟବଶତଃ କାର୍ୟ୍ୟକାଳ ପୂରଣ ଆଗରୁ ଅଗ୍ନିବୀରଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ବୀମା କଭର ପ୍ରଦାନ କରାଯିବ । ଏଥିରେ ମୃତକଙ୍କ ପରିବାର ପାଖାପାଖି ୧ କୋଟି ଟଙ୍କା ପାଇବେ । ୪୮ ଲକ୍ଷ ଟଙ୍କାର ବୀମା ସହ ୪୪ ଲକ୍ଷ ଏକ୍ସଗ୍ରାସିଆ ମିଳିବ । ସେବା ନିଧି ବ୍ୟବସ୍ଥାରେ ମଧ୍ୟ ଅନୁକମ୍ପା ରାଶି ମିଳିବାର ବ୍ୟବସ୍ଥା ରହିଛି । ଯଦି ଡ୍ୟୁଟି ସମୟରେ ଦୁର୍ଘଟଣାରେ ଅଗ୍ନିବୀର ଦିବ୍ୟାଙ୍ଗ ହୁଅନ୍ତି ତେବେ ତାଙ୍କୁ ୪୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହାସହିତ ଯେତିକି ଦିନ ଚାକିରି କାଳ ବାକି ଥିବ, ତାହାର ସମ୍ପୂର୍ଣ୍ଣ ଦରମା ମିଳିବ ।

Advertisement

ଅଗ୍ନିବୀରଙ୍କୁ ହାର୍ଡସିପ, ରିସ୍କ, ପୋଷାକ, ଭ୍ରମଣ ଭତ୍ତା ମଧ୍ୟ ଦିଆଯିବ । ବାୟୁସେନାରେ କାର୍ୟ୍ୟକାଳ ମଧ୍ୟରେ ଅଗ୍ନିବୀର ମେଡିକାଲ ପାଇବ । ଅନ୍ୟ ସୈନ୍ୟବଳଙ୍କ ପରି ସେମାନଙ୍କୁ ସମ୍ମାନ ଏବଂ ପୁରସ୍କାର ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି । ନୂଆ ଅଗ୍ନିପଥ ଯୋଜନା ଦେଶବ୍ୟାପୀ ଜୋରଦାର ବିରୋଧ କରାଯାଉଛି । ଯାହାକି ଚାରିଆଡେ ହିଂସାତ୍ମକ ଆନ୍ଦୋଳନର ରୂପ ନେଇଛି । ତେଣୁ ଯୋଜନା ବାବଦରେ ସମସ୍ତ ଏବଂ ସଠିକ୍ ତଥ୍ୟ ପହଞ୍ଚାଇବା ପାଇଁ ବାରମ୍ବାର ପ୍ରୟାସ କରୁଛନ୍ତି ସରକାର । ଏହି ପରିପ୍ରେକ୍ଷୀରେ ଆଜି ନିଯୁକ୍ତି ଯୋଜନା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯାଇଛି । ଜୁନ ୨୪ରୁ ଅଗ୍ନିପଥ ଯୋଜନାରେ ବାୟୁସେନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *