ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ; ବର୍ଡର ଗାଭାସ୍କର ଟ୍ରଫି ପାଇଁ ଆରମ୍ଭ ହେଲା ଲଢେଇ ..
1 min readନାଗପୁର : ଆଜିଠୁ ବହୁ ପ୍ରତୀକ୍ଷିତ ଆଇସିସି ମାନ୍ୟତାର ଦୁଇ ଶ୍ରେଷ୍ଠ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳା ର ପ୍ରଥମ ଟେଷ୍ଟମ୍ୟାଚ୍ ନାଗପୁର ବିଦର୍ଭ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆରମ୍ଭ ହେବ ।୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବ। ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଆସେସ୍ ସହ ତୁଳନୀୟ।
ଅଷ୍ଟ୍ରେଲିଆର ପ୍ରକୃତ ଅଗ୍ନିପରୀକ୍ଷା ହେବ ଘରୋଇ ଭାରତ ବିପକ୍ଷରେ ଖେଳିବା। ୨୦୧୬-୧୭ରୁ ଅଦ୍ୟାବଧି କ୍ରମାଗତ ୩ଟି ଟେଷ୍ଟ ଶୃଙ୍ଖଳା ଭାରତ ଜିତିପାରିଛି। ୨୦୧୬-୧୭ରେ ଭାରତ ଘରୋଇ ମାଟିରେ ଶୃଙ୍ଖଳା ଜିତିଥିଲା।ସେହିଭଳି ଭାରତ ୨୦୧୮-୧୯ ଏବଂ ୨୦୨୦-୨୧ ରେ ଅଷ୍ଟ୍ରେଲିଆକୁ ତା ମାଟିରେ ଚକ୍ମା ଦେଇ ଲଗାତର ଶୃଙ୍ଖଳା ପରାଜୟ ଦେଇଛି । ତେବେ ନିଜମାଟିରେ ଭାରତଠାରୁ କ୍ରମାଗତ ୨ଟି ଶୃଙ୍ଖଳା ହାରିବା ଅଷ୍ଟ୍ରେଲିଆ ପାଇଁ ଶକ୍ତ ଧକ୍କା ହୋଇଛି। ଏହାର ପ୍ରତିଶୋଧ ଲକ୍ଷ୍ୟରେ ଏଥର ଅଷ୍ଟ୍ରେଲିଆ ଟ୍ରଫି ଛଡାଇନେବାକୁ ଆଶାବଦୀ ରହିଛି ।
୬ ବର୍ଷ ହେଲା ବର୍ଡର-ଗାଭାସ୍କର ଟ୍ରଫି ଭାରତ ପାଖରେ ରହିଛି। ଘରୋଇମାଟିରେ ଭାରତ ଖେଳୁଥିବାରୁ କ୍ରମାଗତ ୪ ଥର ଭାରତ ଶୃଙ୍ଖଳା ଜିତିବାକୁ ଫେଭରିଟ୍। ଅନ୍ୟପକ୍ଷରେ ୧୯ ବର୍ଷ ପରେ ଭାରତରେ ଟେଷ୍ଟ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ଦୃଢଇଛା ବାନ୍ଧିଛି ।
ଅନ୍ୟପକ୍ଷରେ ଆହତଜନିତ ସମସ୍ୟା ପାଇଁ ଦକ୍ଷିଣ ଆଫ୍ରିକା , ବାଂଲାଦେଶ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଖେଳିବାକୁ ବଞ୍ଚିତ ରୋହିତ ଶର୍ମା ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳା ଜିତି ଭାରତକୁ ପୁଣି ଥରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚଇ ବିରାଟ କୋହିଲିଙ୍କ ସମକକ୍ଷ ହେବାକୁ ଚାହିଁବେ । ଏହି ଦୃଷ୍ଟିରୁ ଭାରତ ୨ ମ୍ୟାଚ୍ ବିଜୟ ବ୍ୟବଧାନ ରଖିପାରିଲେ ଡବ୍ଲ୍ୟୁଟିସି ଫାଇନାଲ ଟିକେଟ୍ କରାୟତ କରିପାରିବ । ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଏଭଳି ସଫଳତା ପାଇଁ ରୋହିତଙ୍କୁ ସ୍ପିନରଙ୍କ ଉପରେ ଅତ୍ୟାଧିକ ନିର୍ଭର କରିବାକୁ ପଡିବ । ଫଳରେ ଏହି ଶୃଙ୍ଖଳା ଉଭୟ ଦଳର ଖେଳାଳିଙ୍କ ପାଇଁ ବ୍ୟକ୍ତିଗତ ଭାବେ ମଧ୍ୟ ଅଗ୍ନିପରୀକ୍ଷା ।