Pratidin TV

Odisha's Digital News Platform

ଶୀର୍ଷ ସ୍ଥାନ ପାଇଁ ଲଢେଇ : ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ହେବ କଡା ଟକ୍କର

1 min read

ରାଉଲକେଲା : ବିତ୍ସାମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ବିଶ୍ୱକପ୍‌ରେ ନିଜ ନିଜ ପ୍ରଥମ ମ୍ୟାଚ୍‌କୁ ଜିତିଥିବା ଉଭୟ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ହେବ ଜୋରଦାର ଟକ୍କର । ଆଜି ସନ୍ଧ୍ୟା ୭ଟାରେ ବିତ୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ବିଶ୍ୱ ର‌୍ୟାଙ୍କିଂ ତାଲିକାର ୫ମ ସ୍ଥାନରେ ଥିବା ଇଂଲଣ୍ଡ ଓ ଷଷ୍ଠ ସ୍ଥାନରେ ଥିବା ଭାରତ ମୁହାଁମୁହିଁ ହେବେ । ଗ୍ରୁପ୍ ଡି’ରେ ଥିବା ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱ ବହନ କରୁଛି ।

ଆଜିର ଏହି ମ୍ୟାଚ୍‌କୁ ଜିତି ଗ୍ରୁପର ଶୀର୍ଷ ସ୍ଥାନ ଦଖଲ କରି ନକ୍‌ଆଉଟ୍ ପାଇଁ ଯୋଗ୍ୟତା ପାଇବାକୁ ଉଭୟଦଳ ପ୍ରାଣପଣେ ଚେଷ୍ଟା କରିବ । କାରଣ ପରବର୍ତ୍ତି ମ୍ୟାଚ୍‌ରେ ଉଭୟ ଦଳ ଅପେକ୍ଷାକୃତ କମ୍ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବ ।
ସେହିପରି ଗ୍ରୁପ୍‌ର ଶୀର୍ଷସ୍ଥାନ ଦଖଲକାରୀ ଦଳ ସିଧାସଳଖ ଦ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବ । ୱେଲ୍ସ ବିପକ୍ଷରେ ଏକତରଫା ଭାବେ ୫-୦ ଗୋଲ୍‌ରେ ବିଜୟୀ ହୋଇଥିବା ଇଂଲଣ୍ଡକୁ ପରାସ୍ତା କରିବା ଆୟୋଜକ ଭାରତ ପାଇଁ ଏତେଟା ସହଜ ହୋଇନପାରେ । ପୂର୍ବ ମ୍ୟାଚ୍‌ରେ ପଲ୍ ରେଭିଙ୍ଗ୍‌ଟନଙ୍କ ଦଳ ଚତ୍ମକାର ପ୍ରଦର୍ଶନ କରିଥିଲା । ପେନାଲଟି କର୍ଣ୍ଣରକୁ ଗୋଲ୍‌ରେ ସଫଳ ରୂପାୟନ ହିଁ ଇଂଲଣ୍ଡକୁ କିଛି ମାତ୍ରାରେ ଆଗୁଆ ରଖିଛି । ହେଲେ ନିଜ ମାଟିରେ ଖେଳୁଥିବାରୁ ଭାରତୀୟ ଦଳ ବେଶ୍ ଉତ୍ସାହିତ ରହିଛି ।

୧୯୭୫ରେ ଶେଷଥର ପାଇଁ ହକି ବିଶ୍ୱକପ ଜିତିଥିବା ଭାରତ ଏହାପରେ ନକଆଉଟରେ ପ୍ରବେଶ କରିବାକୁ ସଂଘର୍ଷ କରି ଚାଲିଥିଲା। ଦଳ ଦୀର୍ଘ ୪୩ ବର୍ଷ ପରେ ଅର୍ଥାତ ୨୦୧୮ରେ ନକଆଉଟରେ ପ୍ରବେଶ କରିଥିଲା। କିନ୍ତୁ ଦଳ ଆଗକୁ ଯିବାକୁ ସକ୍ଷମ ହୋଇ ନଥିଲା। ଏଥର ଦଳ ପୂର୍ବ ରେକର୍ଡକୁ ଭୁଲି ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି।
ଏତତ୍ ବ୍ୟତୀତ ମାଟିର ପୁଅ ଅମିତ ରୋହି ଦାସ୍ ଓ ନୀଲମ୍ ସଞ୍ଜୀପ ଖେସ ପ୍ରଥମ ମ୍ୟାଚ୍‌ରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ସମସ୍ତଙ୍କର ଆଖିର ତାରା ପାଲଟିଯାଇଛନ୍ତି ।

Leave a Reply

Your email address will not be published. Required fields are marked *