Pratidin TV

Odisha's Digital News Platform

ଟିମ୍‌ଇଣ୍ଡିଆର ଫ୍ଲପ ଶୋ; ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆ ହାରିଲା ଭାରତ

ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆ ହାରିଲା ଟିମ ଇଣ୍ଡିଆ | ଗୌତମ ଗମ୍ଭୀରଙ୍କ କୋଚିଂରେ ପ୍ରଥମ ଥର କୌଣସି ଦିନିକିଆ ସିରିଜ ଖେଳୁଥିବା ଭାରତକୁ ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆରେ ହାରିବାକୁ ପଡ଼ିଛି। ପ୍ରଥମ ଦିନିକିଆରେ ସୁଯୋଗ ହାତ ଛଡ଼ା କରି ମ୍ୟାଚ୍‌କୁ ଟାଇ କରିଥିବା ଭାରତ ଆଜି ୩୨ ରନରେ ଶ୍ରୀଲଙ୍କା ଠାରୁ ହାରିଛି।

ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌କୁ ୩୨ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୪୦ ରନ୍‌ କରିଥିଲା। ଜବାବରେ ଭାରତ ୪୨.୨ ଓଭରରେ ୨୧୦ ରନ୍‌ କରି ଅଲଆଉଟ ହୋଇଥିଲା। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ ଟାଇରେ ଶେଷ ହୋଇଥିଲା।

ସୂଚନା ଅନୁଯାୟୀ, କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ଏହା ୨୪୦ ରନ୍‌ କରିଥିଲା। ଅଭିସ୍କା ଫର୍ନାଣ୍ଡୋ ଓ କାମିନ୍ଦୁ ମେଣ୍ଡିସ୍‌ ସର୍ବାଧିକ ୪୦ ରନ୍‌ ଲେଖାଏ ସ୍କୋର କରିଥିଲେ। ୧୩୬ ରନରେ ୬ ଉଇକେଟ ହରାଇ ଶ୍ରୀଲଙ୍କା ସଙ୍କଟରେ ପଡିଥିବା ବେଳେ କାମିନ୍ଦୁ ମେଣ୍ଡିସ(୪୦) ଓ ଦୁନିଥ ଓ୍ବେଲାଲାଗେ(୩୯) ଯୋଡିଥିଲେ ୭୨ ରନ୍‌। ଭାରତ ପକ୍ଷରୁ ଓ୍ବାଶିଂଟନ୍‌ ସୁନ୍ଦର ୩, କୁଲଦୀପ ଯାଦବ ୨, ଅକ୍ଷର ପଟେଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୨୪୧ ରନର ପିଛା କରୁଥିବା ଭାରତକୁ ରୋହିତ ଶର୍ମା ଓ ଗିଲ ଦମଦାର ଷ୍ଟାର୍ଟ ଦେଇଥିଲେ। ରୋହିତ ଶର୍ମା ଶ୍ରୀଲଙ୍କାର ସବୁ ବୋଲରଙ୍କୁ କଡ଼ା ପ୍ରହାର କରି ମାତ୍ର ୨୯ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ ମଧ୍ୟ ତାଙ୍କୁ ଭରପୂର ସାଥ ଦେଇଥିଲେ। ପ୍ରଥମ ୱିକେଟରେ ୯୭ ରନ ଯୋଗ କରିବା ପରେ ରୋହିତ ଶର୍ମା ୬୪ ରନ କରି ଆଉଟ ହୋଇଥିଲେ । ଶୁଭମନ ଗିଲ ୩୫ ଓ ଅକ୍ଷର ପଟେଲ ୪୪ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାନ୍ଦେରସେଙ୍କ ବୋଲିଂର ଉଚିତ ମୁକାବିଲା କରିପାରି ନ ଥିଲେ । ସେ ୩୩ ରନରେ ୬ଟି ୱିକେଟ ଅକ୍ତିଆର କରିଥିଲେ । ଚାରିଥ ଆସଲଙ୍କା ୩ଟି ୱିକେଟ ନେଇଥିଲେ । ୨ ୱିକେଟ ବିନିମୟରେ ୧୧୬ ରନ କରିଥିବା ଭାରତ ୧୪୭ ରନରେ ୬ଟି ୱିକେଟ ହରାଇ ବିପଦରେ ପଡିଥିଲା । ଅକ୍ଷର ପଟେଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଂଘର୍ଷ କରିପାରି ନ ଥିଲେ ।

Leave a Reply

Your email address will not be published. Required fields are marked *