Pratidin TV

Odisha's Digital News Platform

ଭାରତ ଆସିବାକୁ ପାକିସ୍ତାନୀ କ୍ରିକେଟରଙ୍କୁ ମିଳିଲାନି ଭିସା

1 min read

ନୂଆଦିଲ୍ଲୀ : ଅକ୍ଟୋବର ୫ ତାରିଖରେ ଭାରତରେ ଆଇସିସି ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବ । ଆଉ ମାତ୍ର ଦିନ କେଇଟା ବାକିଥିବାବେଳେ ଭାଗ ନେବାକୁ ଥିବା ଟିମମାନଙ୍କୁ ଭିସା ମିଳିଥିବାବେଳେ ଅଭ୍ୟାସ ପାଇଁ ପ୍ରସ୍ତୁତ ହେଲେଣି ଦଳ । କିନ୍ତୁ ଏଯାବତ୍ ପାକିସ୍ତାନ କ୍ରିକେଟ ଟିମକୁ ଭିସା ମିଳିନାହିଁ । ସେପ୍ଟେମ୍ବର ୨୯ରୁ ଅଭ୍ୟାସ ମ୍ୟାଚ ଖେଳାଯିବ । ଭାରତ ଅଭିମୁଖେ ବାହାରିଲେଣି ସମସ୍ତ ଟିମ୍ । ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଆଦି ଟିମ୍ ଟୁର୍ଣ୍ଣାମେଣ୍ଟ ଥିବା ବେଳେ ୨୦୧୧ ପରେ ଭାରତ ପାଖରେ ଘରୋଇ ଗ୍ରାଉଣ୍ଡରେ ପୁଣି ଥରେ ବିଶ୍ୱକପ୍ ଜିତିବାର ସୁଯୋଗ ରହିଛି । ବିଶ୍ୱକପ୍ ଖେଳିବା ଲାଗି ଭାରତ ଆସିବାକୁ ଥିବା ସମସ୍ତ ଟିମକୁ ଭିସା ମିଳି ସାରିଛି । କିନ୍ତୁ ଅନ୍ୟପଟେ ପାକିସ୍ତାନ ଟିମର ନେତୃତ୍ୱ ନେଉଥିବା ବାବର ଆଜମଙ୍କୁ ଏବେ ଯାଏ ଭାରତ ସରକାର ଭିସା ପ୍ରଦାନ କରି ନାହାନ୍ତି । ପାକିସ୍ତାନ କ୍ରିକେଟ ଟିମ ପକ୍ଷରୁ ଯୋଜନା କରାଯାଇଥିଲା କି, ପ୍ରଥମେ ସେମାନେ ଦୁବାଇ ଯାଇ ସେଠାରେ ଏକ କ୍ୟାମ୍ପ କରିବେ । ଅଭ୍ୟାସ ପରେ ଭାରତ ଆସିବା ନେଇ ପାକିସ୍ତାନ ପକ୍ଷରୁ ଯୋଜନା କରାଯାଇଥିବାବେଳେ ଭିସା ନମିଳିବାରୁ ବଡ଼ ଝଟକା ଲାଗିଛି ।

ସପ୍ତାହେ ପୂର୍ବରୁ ପାକିସ୍ତାନ ଟିମ ପକ୍ଷରୁ ଭିସା ଆବେଦନ କରାଯାଇଥିବାବେଳେ ଏଯାବତ ଭାରତ ସରକାରଙ୍କ ପକ୍ଷରୁ ମଞ୍ଜୁର କରାଯାଇନାହିଁ । ପାକିସ୍ତାନ ଟିମର ଭିସା ଅନୁମୋଦନ ନହୋଇଥିବାରୁ ଟିମ ଏବେ ଲାହୋରରେ ରହିଥିବାବେଳେ ୨୭ ସେପ୍ଟେମ୍ବରରେ ଦୁବାଇ ଅଭିମୁଖେ ଯାତ୍ରା କରିବେ । ତେବେ ପାକିସ୍ତାନ ଟିମ ପକ୍ଷରୁ ଆଶା ରଖାଯାଇଛି କି ନିର୍ଦ୍ଧାରିତ ସମୟ ପୂର୍ବରୁ ଦଳ ଭିସା ପାଇବ । ୨୦୧୬ ମସିହାରେ ପାକିସ୍ତାନ ଟି-୨୦ ବିଶ୍ୱକପ ଖେଳିବା ପାଇଁ ଭାରତ ଆସିଥିଲା । ସେପଟେ ୨୦୧୨-୧୩ ମସିହାରେ ଦ୍ୱିପାକ୍ଷିକ ସିରିଜ ପାଇଁ ଭାରତ ଆସିଥିଲା ପାକିସ୍ତାନ ଟିମ । ଏହାପରଠାରୁ ଉଭୟ ଦେଶ ମଧ୍ୟରେ କୌଣସିି ଦ୍ୱିପାକ୍ଷିକ ସିରିଜ ଖେଳାଯାଇନାହିଁ । କେବଳ ଆଇସିସିର ଇଭେଣ୍ଟରେ ଉଭୟ ଦଳ ଭେଟାଭେଟି ହୋଇଛନ୍ତି ।୨୭ରେ ଦୁବାଇ ଯାଇ ସେଠାରୁ ୨୯ରେ ହାଇଦ୍ରାବାଦ ଆସି ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ ।

Leave a Reply

Your email address will not be published. Required fields are marked *