Pratidin TV

Odisha's Digital News Platform

କାମ୍ବୋଡ଼ିଆ ଯିବେ ଭାରତ ବାଘ , ହୋଇସାରିଛି ସବୁ ଆଲୋଚନା ..

କାମ୍ବୋଡ଼ିଆ ଯିବେ ଭାରତର ମହାବଳ ବାଘ । ଚଳିତବର୍ଷ ନଭେମ୍ବର ସୁଦ୍ଧା କାମ୍ବୋଡ଼ିଆକୁ ପ୍ରଥମ କରି ୪ଟି ମହାବଳ ବାଘ ରପ୍ତାନି କରିବ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଆଠ ବର୍ଷ ହେଲାଣି କାମ୍ବୋଡିଆରେ ବାଘ ବଂଶ ଲୋପ ପାଇ ସାରିଛି । ସେଥିପାଇଁ ବାଘ ବଂଶ ପୁଣିଥରେ ବୃଦ୍ଧି କରିବା ଲକ୍ଷ୍ୟରେ କାମ୍ବୋଡିଆକୁ ବାଘ ପଠାଇବାକୁ ଭାରତକୁ ଅନୁରୋଧ କରାଯାଇଛି। ୨୦୨୨ ନଭେମ୍ବରରୁ ଭାରତ ଓ କାମ୍ବୋଡିଆ ମଧ୍ୟରେ ଏକ ରାଜିନାମା ମଧ୍ୟ ସ୍ବାକ୍ଷରିତ ହୋଇସାରିଛି।

କିଛି ଦିନ ପୂର୍ବେ କାମ୍ବୋଡିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦେବଯାନୀ କୋବ୍ରାଗଡେ ଏବଂ ସେଠାକାର ଜଙ୍ଗଲ ବିଭାଗ ଅଧିକାରୀ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କାମ୍ବୋଡିଆକୁ ପ୍ରଥମ ଦଫାରେ ଗୋଟିଏ ଅଣ୍ଡିରା ଏବଂ ତିନିଟି ମାଈ ମହାବଳ ପଠାଯିବ ବୋଲି ଆପାତତଃ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ ୨୦୦୭ରେ କାମ୍ବୋଡିଆରେ ଶେଷ ଥର ପାଇଁ ବାଘକୁ ସିସିଟିିଭି କ୍ୟାମେରା ଜରିଆରେ ଠାବ କରାଯାଇଥିଲା। ଏହାପରଠାରୁ ବାଘର କୌଣସି ଖୋଜ ଖବର ନ ମିଳିବାରୁ କାମ୍ବୋଡିଆ ସରକାର ୨୦୧୬ରେ ଏହାକୁ ବିଲୁପ୍ତ ପ୍ରାଣୀ ଘୋଷଣା କରିଥିଲେ।

୨୦୨୨ ସୁଦ୍ଧା ଭାରତରେ ବାଘ ସଂଖ୍ୟା ୩୮୮୨ ରହିଥିଲା। ବିଶ୍ବରେ ମୋଟ ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ବାସ କରୁଥିବା କୁହାଯାଇଛି। ଭାରତରେ ବାଘ ବଂଶ ବୃଦ୍ଧି ନିମନ୍ତେ ୧୯୭୩ ଏପ୍ରିଲ ୧ରୁ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ ଦେଶର ୭୫ ହଜାର ବର୍ଗ କିମି ଅଞ୍ଚଳରେ ମୋଟ ୫୩ ବ୍ୟାଘ୍ର ଅଭୟାରଣ୍ୟ ରହିଛି।

Leave a Reply

Your email address will not be published. Required fields are marked *