ଭାରତରେ ହେବ ୨୦୩୬ ଅଲିମ୍ପିକ୍ସ!ଅଲିମ୍ପିକ୍ସ କମିଟିକୁ ଚିଠି..
1 min read୨୦୨୪ ଅଲିମ୍ପିକ୍ସ ପ୍ୟାରିସରେ ଖେଳାଯାଇଥିଲା। ଏହାପରେ ପରବର୍ତ୍ତୀ ଅର୍ଥାତ୍ ୨୦୨୮ ଅଲିମ୍ପିକ୍ସ ଆମେରିକାର ଲସ୍ ଆଞ୍ଜେଲସରେ ଖେଳାଯିବ। ୨୦୩୨ ଅଲିମ୍ପିକ୍ କ୍ରୀଡ଼ା ଅଷ୍ଟ୍ରେଲିଆର ବ୍ରିସବେନରେ ଅନୁଷ୍ଠିତ ହେବ। କିନ୍ତୁ ୨୦୩୬ରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା କେଉଁଠି ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ୨୦୩୬ରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଆୟୋଜନ କରିବାକୁ ଦାବି କରିଛି।୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଅକ୍ଟୋବର ୧ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିକଟକୁ ଏନେଇ ଏକ ଚିଠି ପଠାଇଥିବା ରିପୋର୍ଟ ପ୍ରକାଶ ପାଇଛି।
ଏହା ପ୍ରଥମ ଘଟଣା ନୁହେଁ ଯେ ଭାରତରେ ଆୟୋଜିତ ଅଲିମ୍ପିକ୍ସ ୨୦୩୬ର ଖବର ସାମ୍ନାକୁ ଆସିଛି। ଏହାପୂର୍ବରୁ ମଧ୍ୟ ଏ ସମ୍ପର୍କରେ କିଛି ରିପୋର୍ଟ ବାହାରିଛି ଯେଉଁଥିରେ କୁହାଯାଇଥିଲା ଯେ ୨୦୩୬ରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଭାରତ ଆଗକୁ ଆସିପାରେ। ଭାରତର ଅହମଦାବାଦରେ ଏହାର ଆୟୋଜନ ପାଇଁ ଲକ୍ଷ୍ୟ ରଖାଯାଇଛି ।ଗତବର୍ଷ ଅର୍ଥାତ୍ ଅକ୍ଟୋବର ୨୦୨୩ରେ ଭାରତ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ୧୪୧ତମ ଅଧିବେଶନ ଆୟୋଜନ କରିଥିଲା। ତିନି ଦିନିଆ ଏହି ଅଧିବେଶନ ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।