ଅକାଳରେ ଆଖିବୁଜିଲେ ଜୁନିୟର NTRଙ୍କ ଭାଇ ତାରକ ରତ୍ନ, ଅଭିନୟ ଜଗତ ଛାଡି ରାଜନୀତିରେ ରଖିଥିଲେ ପାଦ ..
1 min readହାଇଦ୍ରାବାଦ୍ : ଜୁନିୟର ଏନ୍ଟିଆରଙ୍କ ଭାଇ ତାରକ ରତ୍ନଙ୍କ ଅକାଳ ବିୟୋଗ ଘଟିଛି। । ଏନ୍.ଟି. ରାମାରାଓଙ୍କ ନାତି ତଥା ଅଭିନେତାରୁ ରାଜନେତା ହୋଇଥିବା ନନ୍ଦମୁରୀ ତାରକ ରତ୍ନଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁ ସମୟକୁ ତାଙ୍କୁ ୩୯ ବର୍ଷ ହୋଇଥିଲା । ତାଙ୍କ ପରଲୋକ ଟଲିଉଡ୍ ସେଲିବ୍ରିଟି ଓ ରାଜନେତାମାନଙ୍କୁ ସ୍ତବ୍ଧ କରିଦେଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରାବାବୁ ନାଇଡୁ, କର୍ନାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ସୁଧାକର କେ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ସେହିପରି ଅଲ୍ଲୁ ଅର୍ଜୁନ, ଚିରଞ୍ଜୀବୀ ପ୍ରମୁଖ ଅଭିନେତା ମଧ୍ୟ ତାରକଙ୍କ ପରଲୋକରେ ଶୋକପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଗତ ମାସ ୨୭ରେ ହୃଦ୍ଘାତ ହେବାରୁ ତାରକ ରତ୍ନଙ୍କୁ ବେଙ୍ଗାଲୁରୁର ନାରାୟଣ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଆକ୍ ସାଇନ୍ସରେ ଭର୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ପ୍ରତିଷ୍ଠାତା ଏନ୍ଟି ରାମାରାଓଙ୍କ ନାତି ତାରକ ରତ୍ନ ୨୦୦୨ରେ ଓକାଟୋ ନମ୍ବର କୁରାଡୁ ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ- ୟୁବା ରତ୍ନ, ତାରକ, ଭାଦ୍ରାଦ୍ରି ରାମୁଡୁ ଏବଂ ଅମରାବତୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେବେଠାରୁ ସେ ବିଭିନ୍ନ ତେଲୁଗୁ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଆସୁଥିଲେ । ଗତବର୍ଷ ସେ ଓଟିଟିରେ ଡେବ୍ୟୁ କରିଥିଲେ । ଜାନୁୟାରୀ ୨୭ରେ ଟିଡିପିର ଏକ ପଦଯାତ୍ରା ଶୁଭାରମ୍ଭରେ ଯୋଗଦେଇଥିବାବେଳେ ତାଙ୍କୁ ହୃଦ୍ଘାତ ହୋଇଥିଲା । ଆସନ୍ତାବର୍ଷ ଟିଡିପି ଟିକେଟ୍ରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ସେ ଖୁବ୍ ଆଗ୍ରହୀ ଥିଲେ ଏବଂ ପଦଯାତ୍ରାର ପ୍ରଥମ ଦିନ ଲୋକେଶ ପଦଯାତ୍ରା ରେ ଯୋଗ ଦେଇଥିଲେ ।