Pratidin TV

Odisha's Digital News Platform

ପଙ୍ଗା କୁଇନ୍‌ ଙ୍କ ପାଇଁ ଫସିଗଲା ବିଜେପି !ଲାଭ ଉଠାଇବ କଂଗ୍ରେସ…

1 min read

ନିଜ ବୟାନକୁ ନେଇ ପୁଣି ବିବାଦରେ ବଲିଉଡର ପଙ୍ଗା କୁଇନ୍‌ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। କୃଷି ଆଇନ୍‌କୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। କେବଳ ସେ ବିବାଦରେ ରହିନାହାନ୍ତି ତାଙ୍କ ବିବାଦୀୟ ବୟାନ ପାଇଁ ଫସିଛି ବିଜେପି ।

 ୨୦୨୧ରେ ମୋଦି ସରକାରଙ୍କ ଦ୍ୱାରା ରଦ୍ଦ କରାଯାଇଥିବା ୩ କୃଷି ଆଇନକୁ ଫେରାଇ ଆଣିବା ଉଚିତ ବୋଲି ମଙ୍ଗଳବାର ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ ବୟାନ ଦେଇଥିଲେ। ଏହାପରେ ନିଜ  ବୟାନକୁ ନେଇ କ୍ଷମା ମାଗିଛନ୍ତି। ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ କଙ୍ଗନା କହିଛନ୍ତି ଯେ ‘ମୁଁ କୃଷି ଆଇନ ସମ୍ବନ୍ଧରେ ମୋ ଦଳ ସହ ଛିଡା ହୋଇଛି। ମୁଁ ମୋର ଶବ୍ଦଗୁଡିକୁ ଫେରାଇ ନେଉଛି। ଗତ କିଛି ଦିନ ହେବ ଗଣମାଧ୍ୟମ ମୋତେ କୃଷି ଆଇନ ଉପରେ ପ୍ରଶ୍ନ ପଚାରୁଥିଲା। ​​ମୁଁ ପରାମର୍ଶ ଦେଇଥିଲି ଯେ କୃଷକମାନେ ପ୍ରଧାନମନ୍ତ୍ରୀଙ୍କୁ କୃଷି ଆଇନ ଫେରାଇ ଆଣିବା ପାଇଁ ଅନୁରୋଧ କରିବା ଉଚିତ୍। ମୋର ଏହି ବିବୃତ୍ତିରେ ଅନେକ ଲୋକ ନିରାଶ ହୋଇଛନ୍ତି।’

Advertisement

କଙ୍ଗନା ଆହୁରି କହିଛନ୍ତି, ‘ ମତେ ମନେ ରଖିବାକୁ ହେବ ଯେ ମୁଁ ଆଉ ଜଣେ କଳାକାର ନୁହେଁ ବରଂ ଜଣେ ବିଜେପି କର୍ମୀ। ମୋର ଓପିନିୟନ ମୋର ନିଜର ହେବା ଉଚିତ ନୁହେଁ, ଏହା ଦଳର ଷ୍ଟାଣ୍ଡ ହେବା ଉଚିତ। ଯଦି ମୁଁ ମୋର କଥା କିମ୍ବା ଭାବନାରେ କାହାକୁ ନିରାଶ କରିଛି, ତେବେ ମୁଁ ମୋର କଥାକୁ ଫେରାଇ ନେଉଛି।’

ଗତ ମାସରେ ଭାଜପା ସଭାପତି ଜେପି ନଡା କଙ୍ଗନାଙ୍କୁ ଡକାଇ ଭୁଲ୍‌ ମନ୍ତବ୍ୟ ନ ଦେବାକୁ ଚେତାବନୀ ଦେଇଥିଲେ, କିନ୍ତୁ କଙ୍ଗନା ପୁଣି ଦଳର ଭାବମୂର୍ତ୍ତୀକୁ ପଦାରେ ପକାଇଛନ୍ତି। ହରିୟାଣା ନିର୍ବାଚନ ଆଗକୁ ଥିବାରୁ କଙ୍ଗନା ଏହି ମନ୍ତବ୍ୟ ଦଳ ପାଇଁ ବୁମେରାଂ ହୋଇପାରେ। କଂଗ୍ରେସ କଙ୍ଗନାଙ୍କ ମନ୍ତବ୍ୟର ଜବରଦସ୍ତ ଫାଇଦା ଉଠାଇପାରେ।

ସେପଟେ କଙ୍ଗନାଙ୍କ ମନ୍ତବ୍ୟକୁ କେନ୍ଦ୍ରକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ପ୍ରଧାନମନ୍ତ୍ରୀ କଙ୍ଗନାଙ୍କର ମନ୍ତବ୍ୟକୁ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି ସେନେଇ ଦେଶବାସୀ ଜାଣିବାକୁ ଚାହାନ୍ତି ବୋଲି ରାହୁଲ କହିଛନ୍ତି।

Leave a Reply

Your email address will not be published. Required fields are marked *