ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିୱାଲ !, ଏହା ଉପରେ ସୁପ୍ରିମକୋର୍ଟ କହିଲେ ଏପରି…..
1 min readଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ହେଲେ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିବା ସତ୍ତ୍ୱେ କେଜ୍ରିଓ୍ବାଲଙ୍କୁ ସିବିଆଇ ମାମଲାରେ ଜେଲରେ ରହିବାକୁ ପଡ଼ିବ।
କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଇଡି ଗିରଫ କରିବା ପରଠାରୁ ବିରୋଧୀ ବିଜେପି ତାଙ୍କ ଇସ୍ତଫା ମାଗି ଚାଲିଛି। ହେଲେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ନାହାନ୍ତି। କୋର୍ଟରେ ମଧ୍ୟ ଆଜି ଶୁଣାଣି ବେଳେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ଦରକାର କି ନାହିଁ, ସେକଥା ଉଠିଥିଲା। ହେଲେ କୋର୍ଟ ଏହା ଉପରେ କୌଣସି ପ୍ରକାର ନିର୍ଦ୍ଦେଶ ଜାରି କରିପାରିବେ ନାହିଁ ବୋଲି କହିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ବାଲ ଜଣେ ନିର୍ବାଚିତ ନେତା ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ଏହି ପଦବୀ ବେଶ ଗୁରୁତ୍ୱପୂର୍ଣ୍ଣ ଓ ଏହାର ପ୍ରଭାବ ମଧ୍ୟ ରହିଛି। ଆମେ କୌଣସି ନିର୍ଦ୍ଦେଶ ଦେଇପାରିବୁ ନାହିଁ। ଏହାସହ ସୁପ୍ରିମକୋର୍ଟ ଆହୁରି କହିଥିଲେ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ପଦ ଛାଡ଼ିବାକୁ କୋର୍ଟ କହିପାରିବେ କି ନାହିଁ, ତା’କୁ ନେଇ ମଧ୍ୟ ଆମେ ଦ୍ୱନ୍ଦ୍ୱରେ ରହିଛୁ। ନିର୍ବାଚିତ ପ୍ରତିନିଧି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଭାବେ କାମ କରିପାରିବେ ନାହିଁ ବୋଲି ଆମେ କହିପାରିବୁ ନାହିଁ। କିନ୍ତୁ ଆମେ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଏହାର ନିଷ୍ପତ୍ତି ଛାଡ଼ୁଛୁ।”