Pratidin TV

Odisha's Digital News Platform

ଶୋଇଥିବା ଅବସ୍ଥାରେ ଘରେ ଲାଗିଗଲା ନିଆଁ, କବାଟ ବାଡେଇ ଡାକିଲେ ଗାଁ ଲୋକେ..

1 min read


କେନ୍ଦ୍ରାପଡ଼ା: ବିଳମ୍ବିତ ରାତିରେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ । ଘରେ ଶୋଇଥିଲେ ସମସ୍ତେ । ହେଲେ ହଠାତ ହୁତହୁତୁ ହୋଇ ଜଳି ଉଠିଲା ଘର । ନିଆଁର ପ୍ରକୋପ ଏପରି ଥିଲା ଯେ ସଂଙ୍ଗେ ସଂଙ୍ଗେ ଏହା ଚାରିଆଡକୁ ବ୍ୟାପି ଯାଇଥିଲା । ଆଉ ନିମିଷକ ମଧ୍ୟରେ ସବୁ ଜାଳି ପୋଡି ଛାରଖାର କରିଦେଲା । ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନିଆଁରେ ପୋଡି ନଷ୍ଟ ହୋଇ ଯାଇଛି । ହଁ ଆଜ୍ଞା ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ।


ସୂଚନା ମୁତାବକ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ଡେରାବିଶି ଥାନା ଅନ୍ତର୍ଗତ ପରବାରି ଗାଁ ରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କା ର ଟେଣ୍ଟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଏହି ଗାଁ ର ଦୁଇ ଭାଇ କେଦାର ପାଳ ଓ ଗୌରାଙ୍ଗ ପାଳ ଏବଂ ତାଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ସାଢେ ଗୋଟାଏ ସମୟରେ କୈାଣସି କାରଣରୁ ହଠାତ୍ ନିଆଁ ଲାଗି ଛପର ଘର ଜଳି ଉଠିଥିଲା । ହେଲେ ଭିତରେ ଶୋଇଥିବା ଲୋକେ ଘର ନିଆଁ ଲାଗିବା ଜାଣି ନଥିଲେ । ପରେ ସେମାନଙ୍କୁ ଗ୍ରାମବାସୀ କବାଟ ବାଡେଇ ଡାକିବାରୁ ସେମାନେ ଉଠି ଜୀବନ ନେଇ ବାହାରକୁ ଆସିଥିଲେ । ଯଦି ଆଉ ଟିକେ ବିଳମ୍ବ ହୋଇଥାନ୍ତା ତାହାଲେ କାହାର ଜୀବନ ଚାଲିଯାଇଥାନ୍ତ । ଅନ୍ୟପଟେ ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିବା କରିବାପାଇଁ ଉଦ୍ୟମ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ଯାହାଫଲରେ ଘରେ ଥିବା ଧାନ, ଚାଉଳ, ମୁଗ, ବିରି, ବିଭିନ୍ନ ଖାଦ୍ୟ ସାମଗ୍ରୀ, ନଗଦ ବାର ହଜାର ଟଙ୍କା ଓ ସୁନା ଗହଣା ପୋଡି ନଷ୍ଟ ହୋଇଯାଇଥିଲା । ଆଉ କେଦାର ପାଳଙ୍କର ଏକ ଜେନେରେଟର ସମେତ ବିଭିନ୍ନ ଟେଣ୍ଟ ସାମଗ୍ରୀ ମଧ୍ୟ ନିଆଁ ପୋଡି ନଷ୍ଟ ହୋଇଥିଲା । ତୁରନ୍ତ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଡେରାବିଶି ଅଗ୍ନିଶମ କର୍ମଚାରୀ ପହଂଚି ନିଆଁ ଆୟତ୍ତ କରିଥିଲେ । ତେବେ ସର୍ଟ ସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *