ସ୍ତ୍ରୀକୁ ମିଳିଲା ସରକାରୀ ଚାକିରି: ରାଗରେ ହାତ କାଟିଦେଲା ସ୍ୱାମୀ
1 min readନୂଆଦିଲ୍ଳୀ: ଆଜିକାଲି ଦାମ୍ପତ୍ୟ ଜୀବନରେ ବିବାଦକୁ ନେଇ ବିଭିନ୍ନ ଅଜବ କାଣ୍ଡ ଘଟୁଥିବା ଦେଖିବାକୁ ମିଳୁଛି । ଏବେ ଆଉ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର କେତୁଗ୍ରାମରେ ଜଣେ ମହିଳା ସରକାରୀ ନର୍ସିଙ୍ଗ ପଦବୀରେ ନିଯୁକ୍ତି ପାଇଁ ସିଲେକ୍ଟ ହୋଇଥିଲେ । ଏଥିରେ ଈର୍ଷାନ୍ୱିତ ହୋଇ ସ୍ୱାମୀ ଘଟାଇଲେ ଭୟଙ୍କର କାଣ୍ଡ ।
କାଳେ ସରକାରୀ ଚାକିରି କଲେ ସ୍ତ୍ରୀ ଆଉ ତାଙ୍କୁ ମାନିବ ନାହିଁ ତାଙ୍କ ସାଥ୍ ଛାଡିଦେଇ ଚାଲିଯିବ ଏହି ଆଶଙ୍କାରେ ସ୍ତ୍ରୀର ହାତ କାଟିଦେଇଥିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।ସୂଚନା ମୁତାବକ, ରେଣୁ ଖାତୁନ୍ ନାମକ ମହିଳା ଯେପରି ଚାକିରି କରିନପାରିବେ ସେଥିପାଇଁ ସ୍ୱାମୀ ଶେର୍ ମହମ୍ମଦ ସୋମବାର ତାଙ୍କ ହାତକୁ ମଣିବନ୍ଧଠାରୁ କାଟି ଅଲଗା କରିଦେଇଛନ୍ତି । ଏପରିକି ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ବି ଡାକ୍ତର ଯେପରି କଟା ହାତ ଯୋଡି ନପାରିବେ ସେଥିପାଇଁ ତାକୁ ଲୁଚାଇ ରଖିଥିଲେ ।
ପରେ ସେ ଓ ତାଙ୍କ ପରିବାର ଲୋକ ଫେରାର ହୋଇଯାଇଥିବା ଜଣାପଡିଛି ।ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ରେଣୁ ନର୍ସିଙ୍ଗ ଟ୍ରେନିଙ୍ଗ ପରେ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ନିକଟରେ ତାଙ୍କୁ ସରକାରୀ ଚାକିରି ମିଳିବାରୁ ସ୍ୱାମୀ ଏହାକୁ ବାରଣ କରିଥିଲେ । ଶେର୍ ମହମ୍ମଦ ନିଜେ ବେରୋଜଗାର ଥିବାରୁ ସ୍ତ୍ରୀ କାଳେ ଚାକିରି କଲେ ତାଙ୍କୁ ଛାଡି ଚାଲିଯିବ ଆଶଙ୍କା କରୁଥିଲେ । ତେଣୁ ସରକାରୀ ଚାକିରିରେ ଯୋଗ ନେବାକୁ ସେ ବାରମ୍ବାର ତାଗିଦ୍ କରୁଥିଲେ । ଶେଷରେ ରାଗିଯାଇ ହାତ କାଟିଦେଇଥିଲେ ।