Pratidin TV

Odisha's Digital News Platform

ବଦଳିଲା ୪ ଅନାଥ ଝିଅଙ୍କ ଭାଗ୍ୟ; କଥା ଦେଇ କଥା ରଖିଲେ ଅଚ୍ୟୁତ ସାମନ୍ତ,ପାଠ ପଢା ପରେ ଚାକିରୀ ଦେଲେ କିସ ଫାଉଣ୍ଡେସନ୍‌

1 min read

ଭୁବନେଶ୍ୱର : ଏକାସାଙ୍ଗରେ ଚାଲିଗଲେ ମାଆବାପା । ଆଉ ଅନାଥ ହୋଇଗଲେ ୪ ଝିଅ । ନା ଅଛି ପାଖରେ ଟଙ୍କା ନା ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଭଲ ଛାତ । କଣ କରିବେ କେମିତି ବଞ୍ଚିବେ ସେ ନେଇ ୪ଭଉଣୀ ମୁଣ୍ଡରେ ଚଡକ ପଡିଥିଲା । ତେବେ ବର୍ତ୍ତମାନ ତାଙ୍କୁ ଭଗବାନ ସାହା ହୋଇଛନ୍ତି । କାରଣ ୪ଭଉଣୀଙ୍କ ଏବେ ବଦଳିଛି ଭାଗ୍ୟ । କାରଣ କିସ୍ ଫାଉଣ୍ଡେସନ ତାଙ୍କୁ ବଢାଇଛି ସହାୟତାର ହାତ । ଆଜ୍ଞା ହଁ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମରେ ବସବାସ କରନ୍ତି ୪ ଅନାଥ ଭଉଣୀ । ମାଆବାପା ଚାଲିଯିବା ପରେ ଉଭୟ ଉଭୟଙ୍କ ସାହାରା ପାଲଟିଥିଲେ । ତେବେ ସେମାନଙ୍କ ମୁହଁରେ ଆଜି ହସ ଫୁଟିଛି । କିସ୍ ଫାଉଣ୍ଡେସନ ତାଙ୍କର ଦାୟିତ୍ୱ ଏବେ ହାତକୁ ନେଇଛି । ପୂର୍ବ ପ୍ରତିଶ୍ରୁତି ମୁତାବକ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉକ୍ତ ୪ ଭଉଣୀଙ୍କ ମଧ୍ୟରୁ ୩ ଭଉଣୀଙ୍କୁ କିଟ୍ ଓ କିସରେ ନିଯୁକ୍ତି ପ୍ରଦାନ କରିଛନ୍ତି । ରଘୁରାଜପୁରର ଲକ୍ଷ୍ମୀଧର ମହାପାତ୍ର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିବା ପରେ ସେମାନଙ୍କ ଚାରିଝିଅ ବେସାହାରା ହୋଇପଡ଼ିଥିଲେ । ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ ଶ୍ରୀ ସାମନ୍ତ ପିତୃମାତୃହରା ଚାରି ଭଉଣୀଙ୍କୁ କିସ୍ ଫାଉଣ୍ଡେସନ୍ ପକ୍ଷରୁ ସେମାନଙ୍କ ଚଳିବା ଓ ପାଠ ପଢ଼ା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲେ ।

ଏବେ ବଡ଼ ଭଉଣୀ ରମାମଣୀ ସ୍ନାତକୋତ୍ତର ହୋଇଥିବା ବେଳେ ମଝିଆ ଦୁଇ ଭଉଣୀ ସ୍ନାତକ ଡ୍ରିଗ୍ରୀ ହାସଲ କରିଛନ୍ତି । ଏବଂ ସବୁଠାରୁ ସାନ ଭଉଣୀ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛି । ଶ୍ରୀ ସାମନ୍ତ ମଝିରେ ମଝିରେ ସେମାନଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବିଷୟରେ ପଚାରି ବୁଝିଥାନ୍ତି । ସେମାନଙ୍କୁ ଧୈର୍ଯ୍ୟ ଧରିବା ସହ ପାଠ ପଢ଼ାରେ ମନୋନିବେଶ କରିବାକୁ ଶ୍ରୀ ସାମନ୍ତ ବୁଝାଇ ଆସୁଥିଲେ । ସେମାନଙ୍କ ରହିବା ପାଇଁ ଘରଟିଏ ନ ଥିଲା । ରମାମଣୀ ନିଜ ପ୍ରଚେଷ୍ଟାରେ ସରକାରୀ ଯୋଜନାରେ ଘରଟିଏ କରିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ପାରି ନଥିଲା । ଏହା ଜାଣିବା ପରେ ଘର ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ଶ୍ରୀ ସାମନ୍ତ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ଏହା ସହ ପାଠ ପଢ଼ା ସରିଲେ ସେମାନଙ୍କୁ କିଟ୍ ଓ କିସରେ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ସେ ନିଜ ପ୍ରତିଶୃତି ରକ୍ଷା କରିଛନ୍ତି । ୩ ଭଉଣୀ ଶ୍ରୀ ସାମନ୍ତଙ୍କୁ ଭେଟି ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ । କିଟ୍ ଓ କିସରେ ନିଯୁକ୍ତି ପାଇଥିବାରୁ ରମାମଣୀ ଓ ତାଙ୍କ ଦୁଇ ଭଉଣୀ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିକଟରେ କୃତଜ୍ଞତା ଜଣାଇବା ସହ କିସ୍ ଫାଉଣ୍ଡେସନ୍ ଯୋଗୁଁ ଆଜି ସେମାନଙ୍କ ଜୀବନ ଭଲରେ ରାସ୍ତାରେ ଯାଇଛି ବୋଲି କହିଛନ୍ତି । କିସ୍ ଫାଉଣ୍ଡେସନ୍ ଓ ଅଚ୍ୟୁତ ସାମନ୍ତଙ୍କ ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *