ଜାଣନ୍ତୁ ସୁଭଦ୍ରା ଯୋଜନାରେ କିଏ ପାଇବେ ଲାଭ ଆଉ କିଏ ପଡ଼ିବେ ବାଦ ?
1 min readସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର। ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବାକୁ ଘୋଷଣା ହୋଇଥିଲେ ମଧ୍ୟ ଏସ୍ଓପି ଆସିନଥିବା କାରଣରୁ ସୁଭଦ୍ରା ଯୋଜନାର ଲାଭ କେଉଁମାନେ ପାଇବେ ଏବଂ କେମିତି ଆବେଦନ କରିବେ ତାହା ଜଣାପଡୁନଥିଲା। ତେବେ ଆଜି ଏହି ସସ୍ପେନ୍ସ ଉପରୁ ହଟିଲା ପରଦା । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି। ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ସୁଭଦ୍ରା ଯୋଜନାର ଏସଓପିକୁ ଅନୁମୋଦନ ପ୍ରଦାନ କରିବା ପରେ ଆଜି ବିଧାନସଭାରେ ଏହାର ନିୟମାବଳୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୧ ବର୍ଷ ରୁ ୬୦ ବର୍ଷରୁ କମ ବୟସ ମଧ୍ୟର ମହିଳାଙ୍କୁ ମିଳିବ ‘ସୁଭଦ୍ରା ଯୋଜନା’ ଟଙ୍କା ।
ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ରାଜ୍ୟର ଏକ କୋଟିରୁ ଅଧିକ ମହିଳା ଏହା ଦ୍ୱାରା ଲାଭବାନ ହେବେ । ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଆଉଣ୍ଟକୁ ଯିବ ୫ ହଜାର ଲେଖାଏଁ ଟଙ୍କା। ଏପରି ବର୍ଷକୁ ୧୦ ହଜାର କରି ୫ ବର୍ଷରେ ମହିଳାଙ୍କ ଆକାଉଣ୍ଟକୁ ମୋଟ ୫୦ ହଜାର ଟଙ୍କା ଯିବ। ତେବେ ଯୋଜନାରେ ଆର୍ଥିକ ସ୍ଵଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରୀ କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ଏତଦ୍ବ୍ୟତୀତ, କୌଣସି ସରକାରୀ ଯୋଜନାରେ ମାସିକ ୧,୫୦୦ ଟଙ୍କା କିମ୍ବା ତଦୁଦ୍ଧ ଅଥବା ବାର୍ଷିକ ୧୮,୦୦୦ ଟଙ୍କା କିମ୍ବା ତଦୁଦ୍ଧ ସହାୟତା ରାଶି ପାଉଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।