Pratidin TV

Odisha's Digital News Platform

ଆଜି କୁମାରୀମାନଙ୍କ ବଡ଼ ପର୍ବ ପବିତ୍ର କୁମାର ପୂର୍ଣ୍ଣିମା…

1 min read

କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ କୁମାରୀ କନ୍ୟାମାନଙ୍କର ପର୍ବ ଅଟେ । କୁମାରୀ ମାନେ ଭଲ ବର ପାଇବା ପାଇଁ ଭଗବାନ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଜହ୍ନ୍ର ପୂଜା କରିଥାନ୍ତି । କୁଆଁରି ଝିଅମାନେ ଘର ଚଉରା ଆଗରେ ବନ୍ଦାପନା କରିବା ପରେ ଚାନ୍ଦ ପୂଜା କରିଥାନ୍ତି । ଭୋରରୁ ସ୍ନାନା ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିବା ସହ ଉପବାସ ରଖି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଫଳ ଅର୍ପଣ କରିଥାନ୍ତି କୁମାରୀ । ସନ୍ଧ୍ୟା ସମୟରେ ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ଉପବାସ ଭାଙ୍ଗିଥାନ୍ତି । କୁମାର ପୂର୍ଣ୍ଣିମା ସହ ଆଜି ମା ଗଜଲକ୍ଷ୍ମୀଙ୍କ ପୂଜା ଥିବାରୁ ଗାଁଠୁ ସହର ସବୁଠି ଉତ୍ସାହ ଦେଖିବାକୁ ମିଳିଛି ।

କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ” ଗୀତ ଗାଇ କୁମାର ପୂର୍ଣ୍ଣିମାରେ ନାଚ ଗୀତର ମଜା ଉଠାଇଥାନ୍ତି କୁଆଁରି । ଏହା କୁମାରୋତ୍ସବ ନାମରେ ମଧ୍ୟ ଜଣାଶୁଣା । ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା । ଯୁଗେ ଯୁଗେ କୁମାରୀମାନେ ଭଲ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣ୍ଣିମାରେ ଚଉରା ପୂଜା କରାଯାଇଥାଏ । ଏହିଦିନ କୁମାରୀ ତଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । ଅଳତା ହେଉଛି ଓଡ଼ିଆ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ ।

Advertisement

ପ୍ରତ୍ୟେକ ପୂଜା ପର୍ବରେ ଓଡ଼ିଆ ଘରର ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୁଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ । ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବହାର କରାଯାଇଥାଏ ।

Leave a Reply

Your email address will not be published. Required fields are marked *