Pratidin TV

Odisha's Digital News Platform

ରାୟଗଡା ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍ , ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ।

ରାୟଗଡା ; ରାୟଗଡା ଜିଲ୍ଲା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍ ଯିବ । ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ବସ୍ ଚଳାଚଳ ହେବ। ଏଥିପାଇଁ ୨୯୮ଟି ବସ୍ ଷ୍ଟପେଜ ମଧ୍ୟ କରାଯାଇଛି ।ଅନ୍ ଲାଇନ ଜରିଆରେ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଓ ଆନନ୍ଦ ଆଣିବ । ଏହା ଆମର ଗ୍ରାମାଞ୍ଚଳର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ ବୋଲି ସେ କହିଥିଲେ।ମୋ ପାଇଁ ଲୋକଙ୍କ ମତାମତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯୋଗାଯୋଗର ଅସୁବିଧା ସଂପର୍କରେ ମୁଁ ଜାଣିଲି। ତା ପରେ ହିଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ଯୋଜନା ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଲକ୍ଷ୍ମୀ ବସ୍ ଗାଁକୁ ଗାଁ ସହିତ ଯୋଡିବ। ସାମାଜିକ ସଂପର୍କ ସୁଦୃଢ କରିବା ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଧ୍ୟ ମଜବୁତ କରିବ । ଯୋଗାଯୋଗ ବିକାଶର ଇଞ୍ଜିନ ବୋଲି ମୁଖ୍ୟମନ୍ତ୍ରୀ କହିଲେ ଯେ ଲକ୍ଷ୍ମୀ ବସ୍ ପିଲାମାନଙ୍କୁ ସ୍କୁଲ ଓ କଲେଜ ସହିତ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବା ସହିତ ରୋଗୀକୁ ହସ୍ପିଟାଲ ମଧ୍ୟ ନେବ। ମା ମାନଙ୍କ ପାଇଁ ଏହା ବିଭିନ୍ନ କାମରେ ମୁଖ୍ୟ ସାରଥୀ ହେବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାରୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା । କାର୍ଯ୍ୟକ୍ରମରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାୟଗଡା ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୬୦୦ରୁ ଅଧିକ ପ୍ରକଳ୍ପ କରାଯାଉଛି । ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ଡିଜିଟାଲ ଭିତ୍ତିଭୂମିର ଉନ୍ନତିକରଣ କରାଯାଉଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତ ଗୁଡିକ ହେଉଛି ମୋ ସରକାରର ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍ । ସବୁ ପଞ୍ଚାୟତରେ ରୂପାନ୍ତର ଆଣି ସାରା ଓଡିଶାର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର‌୍ୟ୍ୟକ୍ରମକୁ ୫ଞ ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଜିଲ୍ଲା ଗସ୍ତ କରିଥିଲେ। ରାୟଗଡ଼ାରେ ମଧ୍ୟ ଲୋକଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଜଣାଇବା ପରେ ଜିଲ୍ଲାରେ ଅନେକ ମଠ ମନ୍ଦିର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଅନୁମୋଦନ ଦେଇଥିଲେ। ଲୋକଙ୍କ ମତକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ବ ଦିଅନ୍ତି ବୋଲି ସେ କହିଥିଲେ।ଏହାପରେ ରାୟଗଡା ବ୍ଲକର ହାଲୁଆ ଠାରେ ନୂତନ ବସ ରହଣି କେନ୍ଦ୍ର ମାନ୍ୟବର ମନ୍ତ୍ରୀ ଟୁକୁନି ସାହୁ, ଏବଂ ଜଗନ୍ନାଥ ସକ୍ଷରକା ଉଦଘାଟନ କରିଥିଲେ କ୍ଷ

Leave a Reply

Your email address will not be published. Required fields are marked *