ସ୍ୱାଧୀନତା ଦିବସ ସମାରୋହ : ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆଗ ସିଟ୍ ..
1 min readଆଜି ସାରା ଦେଶରେ ସ୍ବାଧୀନତା ଦିବସ ପାଳନ କରାଯାଉଛି। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ସେ ଦେଶକୁ ସମ୍ବୋଧିତ କରିଥିଲେ। ତେବେ ଲାଲକିଲ୍ଲାରେ ୧୦ ବର୍ଷ ପରେ ସ୍ଵାଧିନତା ଦିବସ ସମାରୋହରେ ନଜର ଆସିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପାରମ୍ପାରିକ ଧଳା କୁର୍ତ୍ତାରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା। ଲାଲକିଲ୍ଲାରେ ଥିବା ରେଡ୍ କାର୍ପେଟ୍ ଦେଇ ସେ ପଞ୍ଚମ ଧାଡିରେ ବସିଥିଲେ ।
ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ତାଙ୍କ ପାଖରେ ବସିଥିଲେ। ହେଲେ ବାସ୍ତବରେ ନିୟମ ଅନୁସାରେ, ଲୋକସଭାର ବିରୋଧୀ ଦଳର ନେତା, ଯାହାଙ୍କର ପଦବୀ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ, ତାଙ୍କୁ ଆଗ ଧାଡ଼ିରେ ଏକ ଆସନ ଦିଆଯାଏ। କିନ୍ତୁ ରାହୁଲ ଗାନ୍ଧି ଶେଷ ଧାଡ଼ିରେ ବସିଥିଲେ। ତାଙ୍କ ପାଖରେ ହକି ଦଳର ଗୁରଜନ୍ତ ସିଂହ, ସରବଜତ ସିଂହ, ମନୁ ଭାକରଙ୍କ ସମେତ ଅନ୍ୟ ଅଲିମ୍ପିକ୍ସ ବିଜୟୀ ଖାଳେଳିମାନେ ବସିଥିବା ଦେଖିବାକୁ ମିଳୁଛି। ଆଗ ଧାଡିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଏବଂ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ଶିବରାଜ ସିଂହ ଚୌହାନ, ଅମିତ ଶାହ ଏବଂ ଏସ ଜୟଶଙ୍କର ବସିଥିଲେ।
ଏହାକୁ ନେଇ ସୋଶାଲ ମିଡିଆରେ ବଡ଼ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ନେତାଙ୍କୁ ଆଗ ଧାଡ଼ିରେ ଗୋଟିଏ ଆସନ ନ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନେଟିଜେନ୍ସ। ତେବେ ଦଶନ୍ଧୀ ମଧ୍ୟରେ ପ୍ରଥମ କରି ସ୍ୱାଧୀନତା ଦିବସ ଅବସରରେ ବିରୋଧୀ ଦଳ ନେତା ଲାଲକିଲ୍ଲୀରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ବିଜେପି ସରକାର ଆସିବା ଦିନରୁ କୌଣସି ବିରୋଧୀ ଦଳ ନେତା ଲାଲକିଲ୍ଲାକୁ ଆସୁନଥିଲେ। ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀଦଳର ନେତା ପଦବୀ ଖାଲି ରହିଥିଲା। କାରଣ ସେହି ସମୟ ମଧ୍ୟରେ କୌଣସି ବିରୋଧୀ ଦଳର ନେତା ଏହି ପଦବୀ ପାଇଁ ଯୋଗ୍ୟତା ହାସଲ କରିବାକୁ ପର୍ଯ୍ୟାପ୍ତ ସାଂସଦ ନଥିଲେ। ତେବେ ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ଆସନ ସଂଖ୍ୟା ୯୯ ରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କୁ ୨୫ ଜୁନ୍ ୨୦୨୪ରେ ଲୋକସଭାରେ ବିରୋଧୀଦଳର ନେତା ଭାବରେ ନିଯୁକ୍ତ କରାଗଲା।