ଦେଶର ପ୍ରଥମ ଆନାଲଗ୍ ମିଶନ ଲଞ୍ଚ୍, ଲେହରେ ହେଲା ଆରମ୍ଭ
1 min readଲେହରେ ଭାରତ ଲଞ୍ଚ୍ କରିଛି ଦେଶର ପ୍ରଥମ ଆନାଲଗ୍ ସ୍ପେସ୍ ମିଶନ । ଭାରତର ପ୍ରଥମ ଆନାଲୋଗ୍ ସ୍ପେସ୍ ମିଶନ ଶୁକ୍ରବାର ଲଦାଖର ଲେହଠାରେ ଆରମ୍ଭ ହୋଇଛି। ମହାକାଶ କେନ୍ଦ୍ର ଅନୁରୂପ ଏହି ମିଶନ ପୃଥିବୀ ବାହାରେ ବେସ୍ ଷ୍ଟେଶନର ଚ୍ୟାଲେଞ୍ଜଗୁଡ଼ିକୁ ସମ୍ମୁଖୀନ ହେବା ସହ ଜୀବନଯାପନ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ’ରେ ପୋଷ୍ଟ କରିଛି। ଇସ୍ରୋ ସହ ହ୍ୟୁମାନ ସ୍ପେସ୍ଫ୍ଲାଇଟ୍ ସେଣ୍ଟର, ଆକା ସ୍ପେସ୍ ଷ୍ଟୁଡିଓ, ଲଦାଖ ୟୁନିଭର୍ସିଟି, ଆଇଆଇଟି ବମ୍ବେ ପକ୍ଷରୁ ମିଳିତ ଭାବେ ଏହି ଉଦ୍ୟମ କରାଯାଇଥିବାବେଳେ ଲଦାଖ ଅଟୋନମସ୍ ହିଲ୍ ଡେଭେଲପ୍ମେଣ୍ଟ କାଉନସିଲ ଏଥିରେ ସହଯୋଗ କରିଛି।
ମଙ୍ଗଳ ଓ ଚନ୍ଦ୍ର ଭୂଭାଗ ସହ ଖୁବ୍ ମେଳ ଖାଉଥିବା ଲଦାଖର ଅନନ୍ୟ ଭୂବୈଜ୍ଞାନିକ ବୈଶିଷ୍ଟ୍ୟ ଯୋଗୁ ଆନାଲଗ୍ ମିଶନ୍କୁ ସେଠାରେ ସ୍ଥାପନା କରାଯିବ । ଏହାର ଥଣ୍ଡା ଓ ଶୁଷ୍କ ସ୍ଥିତି ଏବଂ ଅଧିକ ଉଚ୍ଚତା ଦୀର୍ଘ-କାଳୀନ ମହାକାଶ ମିଶନ୍ ନିମନ୍ତେ ଆବଶ୍ୟକ ପରୀକ୍ଷଣ ଟେକ୍ନୋଲୋଜି ଓ ରଣନୀତି ପାଇଁ ଏହା ଆଦର୍ଶ ପରିବେଶ ପ୍ରଦାନ କରେ । ଏହି ପ୍ରୟାସ ମାନବ ମହାକାଶ ଯାତ୍ରା ଓ ଅନ୍ୟ ଗ୍ରହ ଅନ୍ୱେଷଣରେ ନିଜର ସାମର୍ଥ୍ୟକୁ ବଢ଼ାଇବାର ଭାରତର ବ୍ୟାପକ ଅଭିଳାଷର ଅଂଶ । ଗଗନଯାନ କାର୍ଯ୍ୟକ୍ରମ ମଧ୍ୟ ଏହି ପ୍ରୟାସରେ ସାମିଲ ଯାହା ମହାକାଶକୁ ଭାରତୀୟ ମହାକାଶଚାରୀଙ୍କୁ ପଠାଇବାକୁ ଲକ୍ଷ୍ୟ ରଖିଛି ।