Pratidin TV

Odisha's Digital News Platform

ଧନୁ ସଂକ୍ରାନ୍ତିରୁ ସକାଳୁ ମିଳିବ ବାବାଲିଙ୍ଗରାଜଙ୍କ ଅବଢା..

ଆଉ ଦିନ ୧୨ଟା ନୁହେଁ ଏଣିକି ସକାଳୁ ମିଳିବ ଶ୍ରୀଲିଙ୍ଗରାଜ ମନ୍ଦିରର ଅବଢା । ଶନିବାରଠାରୁ ଶ୍ରଦ୍ଧାଳୁମାନେ ସକାଳ ୯ଟାରେ ଆନନ୍ଦବଜାରରୁ ଅବଢା କିଣିପାରିବେ । ତେବେ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ କରି ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭୋଗ ପାଇପାରିବେ । ଏହି ସୁବିଧା ମିଳିବାରୁ ଅଧିକମାତ୍ରାରେ ତୀର୍ଥଯାତ୍ରୀମାନେ ଉପକୃତ ହେବେ । ସକାଳୁ ଆସୁଥିବା ପର୍ଯ୍ୟଟକ ମହାଦେବଙ୍କ ଦର୍ଶନ ପରେ ଅବଢ଼଼ା ସେବନର ମଧ୍ୟ ସୁଯୋଗ ପାଇ ପାରିବେ । ଅନ୍ୟ ଦିନମାନଙ୍କରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅବଢ଼଼ା ବାହାରିବାରେ ବିଳମ୍ବ ହେଉଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଅବଢ଼଼ା ପାଇବାରୁ ବଞ୍ଚିତ ହେଉଥିଲେ । ହେଲେ କାଲିଠାରୁ ଏହି ସୁବିଧା ଭକ୍ତଙ୍କୁ ମିଳିବ ।

ଦୀର୍ଘ ଏକ ମାସ ଧରି ମନ୍ଦିରରେ ଭୋର ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବ । ସକାଳ ୯ଟାରେ ଭୋଗ ମଣ୍ଡପ ସମାପନ କରାଯାଇ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧନୁ ସଂକ୍ରାନ୍ତି ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ଏନେଇ ବିଭିନ୍ନ ନିଯୋଗକୁ ଚିଠି କରାଯାଇଛି । ତେବେ ସେବାୟତଙ୍କ ସହ କୌଣସି ଆଲୋଚନା ନ ହୋଇ ନୀତି ନିର୍ଘଣ୍ଟ କରାଯାଇଛି । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି, ପୂର୍ବବର୍ଷ ନୀତିକୁ ଆଧାର କରି ଚିଠି କରାଯାଇଛି । ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ନିଯୋଗ ପ୍ରମୁଖଙ୍କ ସହ ଆଲୋଚନା କରିବା କଥା । ହେଲେ ଏ ସବୁ କରା ନ ଯିବା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରୁଛି ବୋଲି ସେ କ୍ଷୋଭପ୍ରକାଶ କରିଛନ୍ତି । ଏପଟେ ସକାଳୁ ଅବଢ଼଼ା ପାଇଁ ବହୁ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ମନ୍ଦିରର ରୋଷ ସେବାୟତମାନେ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି । ସକାଳ ଧୂପ ପରେ ଅବଢ଼଼ା ମିଳିବା ଦ୍ୱାରା ବହୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସହଜରେ ମନ୍ଦିରର ଆନନ୍ଦବଜାରରେ ଅବଢ଼଼ା ପାଇ ପାରିବେ ବୋଲି ସେବାୟତମାନେ କହିଛନ୍ତି । କାଲିଠାରୁ ସକାଳୁ ବାବାଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମିଳିବ ଅବଢା ।

Leave a Reply

Your email address will not be published. Required fields are marked *