Pratidin TV

Odisha's Digital News Platform

ମାତୃ ଦିବସରେ ରୋଗୀଣା ମାଆକୁ ଭଲ କରିବା ପାଇଁ ସହାୟତା ମାଗୁଛି କୁନି ଝିଅ ..

1 min read

ବୌଦ୍ଧ : ଆଜି ହେଉଛି ମାତୃ ଦିବସ, ସନ୍ତାନ ମାନେ ମଧ୍ୟ ନିଜ ମାଆକୁ ବିଭିନ୍ନ ପ୍ରକାରରେ ଶୁଭେଛା ଜଣାଉଛନ୍ତି । କିଏ ହ୍ୱାଟ୍ସପ୍ ରେ ଷ୍ଟାଟସ୍ ଦେଇ ତ ଆଉ କିଏ ମାଆ ସହ ସେଲ୍ଫି ନେଇ ପୁଣି କିଏ କେକ୍ କାଟି ପାଳନ କରୁଛନ୍ତି ମାତୃ ଦିବସ। ଆଉ ଏହାରି ଭିତରେ ଦେଖିବାକୁ ମିଳିଛି ଲୋମ ଟାଙ୍କୁରି ଗଲା ଭଳି ଦୃଶ୍ୟ। ଏଠି ମାଆ ସହ ସେଲ୍ଫି କିମ୍ବା ମାଆ ସହ କେକ୍ କାଟି ନୁହେଁ ମାତୃ ଦିବସରେ ରୋଗୀଣା ମାଆକୁ ଭଲ କରିଦେବା ପାଇଁ ଛଳଛଳ ଆଖିରେ ସରକାରଙ୍କୁ ଅନୁରୋଧ କରୁଛି କୁନି ଝିଅ। କହୁଛନ୍ତି ମୋର ମାଆର ଗୋଡ଼ ଭଲ ନାହିଁ, ମୋତେ ପାଖରେ ଶୁଆଉନି କି ମୋତେ ଖେଳାଉନି, ସରକାର ମୋର ମାଆକୁ ଭଲ କରିଦିଅ ମୋ ମାଆ ଭଲ ହେଲେ ମୋତେ ଖେଲାଇବା ବୁଲାଇବ ।

ଏଭଳି ଏକ ହୃଦୟସ୍ପର୍ଶି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ୍ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବଉଦିଆପଡ଼ା ଗ୍ରାମରେ । ସେହି ଗ୍ରାମର ଭାରତୀ ମେହେର, ବୟସ ୩୦ । ଦୀର୍ଘ ୪ ବର୍ଷ ହେଲା ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭାରତୀ ପୂର୍ବରୁ ବରଗଡ଼ ଜିଲ୍ଲା ବରପାଲି ଗ୍ରାମରେ ବିବାହ କରିଥିଲେ। ଠିକ୍ ଠାକ୍ ଚାଲିଥିଲା ବୈବାହିକ ଜୀବନ। ବିବାହର ଗୋଟିଏ ବର୍ଷପରେ ଭାରତୀ ଶିଶୁ କନ୍ୟା ଟିଏ ଜନ୍ମ ଦେଇଥିଲେ । ଝିଅଟିଏ ହୋଇଛି ବୋଲି ନିଷ୍ଠୁର ବାପ ଝିଅ ଏବଂ ଭାରତୀଙ୍କୁ ଘରୁ ବାହାର କରିଦେଇଥିଲେ । ନିରୁପାୟ ହୋଇ ନିଜ ଛୋଟ ଝିଅକୁ ଧରି ୫ ବର୍ଷ ହେବ ବାପଘରେ ରହୁଛନ୍ତି। କିନ୍ତୁ ବାପଘରେ ଗୋଟିଏ ବର୍ଷ କଟିବା ପରେ ହଠାତ୍ ନିଷ୍ଠୁର ସାଜିଲା ବିଧାତା।

Advertisement

ଭାରତୀଙ୍କ ଦୁଇ ଗୋଡ଼ ହୋଇଗଲା ଅକାମୀ। ଆଣ୍ଠୁରୁ ତଳକୁ ଆଉ କାମ ନକରିବାରୁ ବୁଢ଼ା ବାପ ପ୍ରଥମେ ବାଉଁଶୁଣି ମେଡ଼ିକାଲକୁ ପରେ ବୌଦ୍ଧ,ସୋନପୁର,ବୁର୍ଲା ପର୍ଯ୍ୟନ୍ତ ନେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ନିଜ ଆର୍ଥିକ ସମ୍ବଳ ଠିକ୍ ନଥିବାରୁ ଏବେ ଚିକିତ୍ସା ଅଭାବରୁ ଖଟରେ ପଡିରହିଛନ୍ତି ଭାରତୀ। ଏବେ ସେହି ଝିଅକୁ ୫ ବର୍ଷ ହେବାପରେ ମାଆର ଚିକିତ୍ସା ପାଇଁ କରୁଛି ନିବେଦନ । କାରଣ ସରକାରୀ ସହାୟତା ତାଙ୍କ ପାଇଁ ସାତ ସପନ । ନା ମିଳୁଛି ଭତ୍ତା,ନା ମିଳୁଛି ଚାଉଳ । ଭାରତୀଙ୍କ ବାପା ପବିତ୍ର ମୋହନ ମେହେର ଙ୍କୁ ୭୩ ବର୍ଷ ହୋଇଥିବା ବେଳେ ମାଆ ଲଳିତା ମେହେର ଙ୍କୁ ହୋଇଛି ୭୦ ବର୍ଷ ହେଲେ ଏଯାଏଁ ମିଳିନି ବାର୍ଦ୍ଧକ୍ୟ ଭତ୍ତା। ଦିନେ ଖାଇବାକୁ ପାଇଲେ ଦିନେ ଉପବାସ ରୁହନ୍ତି ୪ ପ୍ରାଣୀ। ତେଣୁ ତୁରନ୍ତ ବୌଦ୍ଧ ଜିଲ୍ଲା ପ୍ରଶାସନ ଭାରତୀଙ୍କୁ ଚିକିତ୍ସା ସେବା ଯୋଗାଇବା ସହ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ଭାରତୀଙ୍କୁ ସହାୟତାର ହାତ ବଢ଼ାଇବାକୁ ଚାହୁଁଛନ୍ତି ଦିଆଯାଇଥିବା ଆକାଉଣ୍ଟ୍ ନମ୍ୱରରେ ସହାୟତା କରିପାରିବେ।

A/C No:- 36524809420
IFSC CODE:- SBIN0006122
State Bank of India

Leave a Reply

Your email address will not be published. Required fields are marked *