Pratidin TV

Odisha's Digital News Platform

ଖଳିଲାଗି ଏକାଦଶୀ: ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦିଆଯିବ ଦଶମୂଳ ମୋଦକ

ଭୁବନେଶ୍ୱର: ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇଛନ୍ତି ଓଡ଼ିଆଙ୍କ ପ୍ରାଣର ଦେବତା ଶ୍ରୀଜଗନ୍ନାଥ । ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହୋଇ ଶ୍ରୀମନ୍ଦିର ଆସିଥିବା ଦଶମୂଳମୋଦକ ଆଜି ଲାଗି ହେବା ପରେ ଶ୍ରୀବିଗ୍ରହ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ଆସନ୍ତାକାଲି ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରିବେ ଦଇତାପତି ସେବାୟତ। ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି।

ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ। ଏହାପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ତେବେ ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ। ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ। ଚନ୍ଦନରେ କର୍ପୂର, କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି।

ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି । ଆସନ୍ତାକାଲି ଅଣସର ଦ୍ୱାଦଶୀରେ ଶ୍ରୀନହରକୁ ରାଜପ୍ରସାଦ ବିଜେ କରିବ ଏବଂ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *