Pratidin TV

Odisha's Digital News Platform

ଗାଧୁଆ ତୁଠରୁ ଆରମ୍ଭ ହେଲା ପ୍ରେମ: ପ୍ରତାରଣା ପରେ ଥାନାର ଦ୍ୱାରସ୍ଥ ଯୁବତୀ

1 min read

ଭୁବନେଶ୍ୱର: ପୋଖରୀ ତୁଠରେ ଗାଧୋଇବା ବେଳେ ହୋଇଥିଲା ପ୍ରେମ। ଆଖିରେ ମିଶିଥିଲା ଆଖି। ଆଉ ତା’ପରେ ମିଶିଥିଲା ମନ। ଗଢ଼ି ଉଠିଥିବା ଅନାବିଳ ପ୍ରେମ। ୬ ମାସର ପ୍ରେମ ସମ୍ପର୍କ ବିବାହର ରୂପ ନେବା ପୂର୍ବରୁ ଉଭୟ ଘର ଛାଡ଼ି ପଳାଇ ଯାଇଥିଲେ। ଆଉ ତା’ପରେ ଅଧା ରାସ୍ତାରେ ପ୍ରେମିକାକୁ ଛାଡ଼ି ଚମ୍ପଟ ମାରିଲା ପ୍ରେମିକ। ଏବେ ଥାନାର ଦ୍ୱାରସ୍ଥ ହୋଇଛି ପ୍ରେମିକା।

ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଞ୍ଚଳର ୧୮ ବର୍ଷୀୟ ଯୁବତୀ ସ୍ନେହା(ଛଦ୍ମନାମ)। ସେ ସବୁଦିନ ସାଙ୍ଗମାନଙ୍କ ସହିତ ଗାଁ ପୋଖରୀକୁ ଗାଧୋଇବା ଯାଉଥିଲେ। ଆଉ ସେହି ପୋଖରୀର ସମ୍ନା ପାର୍ଶ୍ୱ ତୁଠକୁ ଗାଧୋଇବା ପାଇଁ ଆସୁଥିଲେ ୨୨ ବର୍ଷୀୟ ଯୁବକ ଜଗନ୍ନାଥ ପଧାନ। ପୋଖରୀରେ ଗାଧୋଇବା ବେଳେ ଆଖିରେ ମିଶିଥିଲା ଆଖି। ପରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା। ତା’ପରେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି।ଗତ ଜାନୁଆରୀରେ ଉଭୟ ଘର ଛାଡି ଫେରାର ହୋଇଯାଇଥିଲେ। ସ୍ନେହାଙ୍କୁ ବିଭିନ୍ନ ଜାଗାରେ ରଖି ମନଭରି ଉପଭୋଗ କରିଥିଲା ଜଗନ୍ନାଥ। ମନଭରି ଯିବା ପରେ ମାସେ ତଳେ ସ୍ନେହାଙ୍କୁ ଘରେ ଛାଡି ଫେରାର ମାରିଥିଲା ଜଗନ୍ନାଥ। ସ୍ନେହା ଯେତେ ଗୁହାରି କଲେ ମଧ୍ୟ ଜଗନ୍ନାଥ ଶୁଣିନଥିଲା। ବରଂ ଧମକ ଦେଇଥିଲା। ସାଙ୍ଗରେ ଜାନିଯୌତୁକ ସହିତ ଗାଡି ଆଣିଲେ ନେବି ବୋଲି ଜଗନ୍ନାଥ ଧମକ ଦେଇଥିବା ଅଭିଯୋଗ ହୋଇଛି।

Advertisement

ଅନ୍ୟପକ୍ଷରେ ସ୍ନେହାଙ୍କ ବାପ ଘର ଲୋକେ ଗରିବ ପରିବାର ହୋଇଥିବାରୁ ଜାନି ଯୌତୁକ ଦେଇପାରିବେ ନାହିଁ ବୋଲି କହିଥିଲେ। ଏପରକି ଜଗନ୍ନାଥର ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ କେହି କିଛି ଶୁଣିନଥିଲେ। ଶେଷରେ ଅନ୍ୟ ଉପାୟ ନପାଇ ପୀଡ଼ିତାଙ୍କ ପରିବାର ଲୋକେ ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଜଗନ୍ନାଥଙ୍କ ବାପାଙ୍କୁ ଡାକି ପୁଅକୁ ଖୋଜି ଆଣିବା ପାଇଁ କହିଥିଲା। କିନ୍ତୁ ପୁଅ ଫେରାର ଥିବା କହିଛନ୍ତି ଜଗନ୍ନାଥଙ୍କ ବାପା। ଅନ୍ୟପଟେ ନ୍ୟାୟ ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ।

Leave a Reply

Your email address will not be published. Required fields are marked *