କାହିଁକି ପାଳନ କରାଯାଏ ମାଣବସା ଗୁରୁବାର ? ଜାଣନ୍ତୁ କେମିତି କରିବେ ପୂଜା…
1 min readଓଡିଶା ହେଉଛି ଜାଗନ୍ନାଥଙ୍କ ରାଜ୍ୟ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆଜି ହେଉଛି ମାଣବସା ଗୁରୁବାରର ଶେଷ ପାଳି । ଧନଦାତ୍ରି ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ ମାନେ ଅଗଣାରେ ରଙ୍ଗବିରଙ୍ଗ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମାଙ୍କୁ ଆବାହନ କରିଥାନ୍ତି । ଏଥି ପାଇଁ ଗାଁ ଠୁ ସହର ଚାରିଆଡେ ଉତ୍ସବର ପରିବେଶ । ପୁରାଣରେ ବର୍ଣିତ ଅଛି ମାଙ୍କ ର ଟିକେ କୃପା ମିିଳିଲେ ଗରିବ ଧନୀ ହୋଇଯାଏ । ଏଥିପାଇ ସଧବା ନାରୀ ନିଷ୍ଠା ର ସହ ଏହି ବ୍ରତ କରିଥାନ୍ତି । ଏ ପୂଜା ରେ ଜାତି,ଅଜାତି ନାହିଁ । ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସବୁ ଓଡ଼ିଆଙ୍କ ଘରେ ଏ ପର୍ବ ପାଳନ କରାଯାଏ । ମାର୍ଗଶୀର ମାସ ମାଣବସା ଗୁରୁବାର ୪ ବା ୫ ପାଳି ପଡିଥାଏ । ଏହା ଓଡ଼ିଆଙ୍କ ଛଡ଼ା ଅନ୍ୟ କେଉଁଠି ପାଳିତ ହେଉଥିବା ଦୃଷ୍ଟିଗୋଚର ହୁଏନାହିଁ।
ପୌରାଣିକ କଥାବସ୍ତୁ ଅନୁଯାୟୀ ଏକଦା ମାଣବସା ଗୁରୁବାର ଦିନ ମା’ ଲକ୍ଷ୍ମୀ ସ୍ୱାମୀଙ୍କ ଠାରୁ ଅନୁମତି ନେଇ ନଗର ପରିଭ୍ରମଣରେ ବାହାରି ଗଲେ। ବ୍ରାହ୍ମଣୀ ରୂପରେ ସେ ଘର ଘର ବୁଲିଲେ । ଅନେକ ସ୍ଥାନ ବୁଲିବା ପରେ ସେ ଶ୍ରୀୟା ନାମକ ଜଣେ ଚଣ୍ଡାଳୁଣୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖୁଥିଲା । ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମନ୍ତ୍ରମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ ।
ସେକାଳରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା। ଏହା ଦେଖିପ୍ରଭୁ ବଳରାମ କୋପ ପ୍ରକାଶ କଲେ । ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ପରେ ଅପମାନିତ ହୋଇ ମାଆ ମଧ୍ୟ ମନ୍ଦିରରୁ ବାହାରି ଗଲେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ବିଶ୍ୱକର୍ମା ଆଉ ଏକ ପ୍ରାସାଦ ଗଢ଼ିଦେଲେ । ତାଳ ବେତାଳଙ୍କୁ ଡକାଇ ମାଆ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ଶ୍ରୀମନ୍ଦିରକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମୁରବିଙ୍କୁ ଭେଟିବାକୁ ଚାହିଁଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ। ଶୁଚିଶୁଦ୍ଧ ଲୋକର ଦ୍ୱାରକୁ ଯିବାକୁ ବାରଣ ନାହିଁ କି ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।
ତେବେ ମା ଲକ୍ଷ୍ମୀଙ୍କର ଏହି ପୂଜାର ନାମ କାହିଁକି ରଖାଯାଇଛି ମାଣବସା । ପ୍ରତ୍ୟେକ ପର୍ବ ପର୍ବାଣୀର ପଛରେ କିଛି ନା କିଛି ଗୋଟେ କାରଣ ରହିଥାଏ। ସେହିପରି ମାଣ ବସାଇବାରୁ “ମାଣବସା” ନାଁ ଆସିଛି। ପ୍ରାଚିନ କାଳରେ ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହେଉଥିଲା। ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟିକୁ ମାଣବସା ବୋଲି କୁହାଯାଏ।