Pratidin TV

Odisha's Digital News Platform

ଶିକ୍ଷୟତ୍ରୀଙ୍କ ନକଲି B.Ed ସାର୍ଟିଫିକେଟକୁ ନେଇ ତାତି ; ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ମାହାଙ୍ଗାବାସୀ…

1 min read

କଟକ : ନକଲି ସାର୍ଟିଫିକେଟକୁ ନେଇ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାତିଲେ ମାହାଙ୍ଗାବାସୀ । ଫେକ ସାର୍ଟିଫିକେଟ ଦେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋକନ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷୟତ୍ରୀ ନିଳୀମା ପାତ୍ର ଚାକିରୀ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମାହାଙ୍ଗାବାସୀ। ଏ ନେଇ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ମାହାଙ୍ଗାବାସୀ । ତେବେ ମାହାଙ୍ଗାବାସୀଙ୍କ ଅଭିଯୋଗ ଯେ ମାହାଙ୍ଗା ବିଧାୟକଙ୍କ ଛତ୍ରଛାୟାରେ ଥିବାରୁ ଆରଟିଆଇରେ ନିଳୀମାଙ୍କ ସାର୍ଟିଫିକେଟ ସମ୍ପର୍କରେ ମିଳୁନି ତଥ୍ୟ। ସେପଟେ ଏ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

ଆଜି କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫେକ ସାର୍ଟିଫିକେଟକୁ ନେଇ ବିକ୍ଷୋଭ ସହ ସରକାରୀ ଶିକ୍ଷୟତ୍ରୀଙ୍କ ବହିଷ୍କାର ପାଇଁ ଦାବି କରିଥିଲେ । କାହିଁକି ସୂଚନା ଅଧିକାର ଆଇନ ବଳରେ ମିଳୁନି ସହକାରୀ ଶିକ୍ଷୟତ୍ରୀଙ୍କ ବି.ଇ.ଡି ସାର୍ଟିଫିକେଟ ତଥ୍ୟ । ଫେକ ବି.ଇ.ଡି ସାର୍ଟିଫିକେଟ ଦେଇ ଚାକିରୀ କରୁଛନ୍ତି ବୋଲି ହୋଇଛି ଅଭିଯୋଗ । ତାଙ୍କ ବି.ଇ.ଡି ସାର୍ଟିଫିକେଟ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମିଳୁନି ଉତ୍ତର। ନିଳୀମା ପାତ୍ର ହେଉଛନ୍ତି ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ନେତା ଶରତ ନାୟକଙ୍କ ଧର୍ମପତ୍ନୀ। ଶରତ ନାୟକ ହେଉଛନ୍ତି ମାହାଙ୍ଗାର ପାୱାରଫୁଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଡାହାଣ ହାତ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଶରତଙ୍କ ସଂପୃକ୍ତିକୁ ନେଇ ବିରୋଧୀ ଅଭିଯୋଗ କରିଥିଲେ । ତେବେ ନିଳୀମା ପାତ୍ର ଶରତଙ୍କ ପତ୍ନୀ ହୋଇଥିବାରୁ ଆରଟିଆଇରେ ତଥ୍ୟ ଦିଆଯାଉ ନାହିଁ ବୋଲି ଅଭିଯୋଗ କରି କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାହାଙ୍ଗାର ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କିଛି ସମୟ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଜୋରଦାର ବଚସା ମଧ୍ୟ ହୋଇଛି ।

Advertisement

ସେପଟେ ରାଜ୍ୟରେ ଫେକ ସାର୍ଟିଫିକେଟ ଦେଇ ବିଭିନ୍ନ ସରକାରୀ ବିଦ୍ୟାଳୟରେ ଚାକିରୀ କରିବା ନେଇ ଆରମ୍ଭ ହୋଇଥିଲା ଜୋରଦାର ଧରପକଡ। ଅନେକ ଧରା ପଡ଼ିଥିଲେ। ହେଲେ କଟକ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଫେକ ସାର୍ଟିଫିକେଟ ଦେଇ ଚାକିରୀ କରୁନଥିବା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଜିଲ୍ଲାରେ ସମୁଦାୟ ୫୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ପଠା ଯାଇଥିଲା। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ସାର୍ଟିଫିକେଟ ଠିକ୍ ଅଛି ବୋଲି ରିପୋର୍ଟ ଆସିଛି। ବାକି ୨୩ ଜଣଙ୍କ ରିପୋର୍ଟ ଖୁବଶୀଘ୍ର ଆସିବ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି। ଅନ୍ୟପଟେ ନିଳୀମା ପାତ୍ରଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି । ମାହାଙ୍ଗାବାସୀଙ୍କ ଅଭିଯୋଗ ଉପରେ ତଦନ୍ତ ମଧ୍ୟ କରାଯିବ ବୋଲି ସେ କହିଛନ୍ତି ।ମାହାଙ୍ଗାବାସୀ କରିଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନା ଶାସକ ଦଳର ଚାପରେ ଆସି ଚେପା ହୋଇଯିବେ ଜିଲ୍ଲା ଶିକ୍ଷା ଅଧିକାରୀ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *