Pratidin TV

Odisha's Digital News Platform

ମହାପ୍ରଭୂଙ୍କ ପାଖରେ ଅର୍ପଣ ଚାଉଳରେ ପ୍ରସ୍ତୁତ ହେଲା ମହାପ୍ରସାଦ ,ମାଗାଣାରେ ଭକ୍ତଙ୍କୁ କରାଗଲା ବଣ୍ଟନ ..

ଶହ ଶହ ଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ହେଲା । ମହାପ୍ରଭୂଙ୍କ ପାଖରେ ଲାଗିହେଲା ଭକ୍ତଙ୍କ ଅର୍ପଣ ଚାଉଳ । ଭକତ ଭାବରେ ବନ୍ଧା କାଳିଆ ଠାକୁର ଆଜି ଭକ୍ତଙ୍କ ପାଖରୁ ଆସିଥିବା ଚାଉଳ ଖାଇଛି । ତା ସହିତ ଶ୍ରୀମନ୍ଦିର ଆସିଥିବା ଭକ୍ତ ମାନଙ୍କୁ ବି ପରସି ଦିଆଯାଇଛି ସେହି ଅର୍ପଣ ଚାଉଳରେ ପ୍ରସ୍ତୁତ ହୋଇଥିବା ମହାପ୍ରସାଦ । ଆଜିଠାରୁ ଆରମ୍ଭ ହୋଇଛି ଭକ୍ତଙ୍କୁ ମାଗଣାରେ ଅର୍ପଣ ଚାଉଳରେ ପ୍ରସ୍ତୁତ କାନିକା ଓ ଖେଚୁଡି ବଣ୍ଟନ । ଶ୍ରୀମନ୍ଦିରର ପଶ୍ଚିମଦ୍ୱାରା,,ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାରରେ ଦର୍ଶନ ସାରି ବାହାରୁଥିବା ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯାଇଛି । ସାରା ରାଜ୍ୟରୁ ଆସିଥିବା ଅର୍ପଣ ଚାଉଳରେ ପ୍ରତ୍ୟକଦିନ ୧୦ ହଜାର ଭକ୍ତଙ୍କ ପାଇଁ ଖେଚୁଡି ଓ କାନିକା ପ୍ରସ୍ତୁତ କରାଯାଇ ଖାଇବାକୁ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।

ଆଜି ପ୍ରଥମ ଦିନରେ ପ୍ରାୟ ୧୦୦ ଦାସିଆ ହାଣ୍ଡି ବାଣ୍ଟାଯାଇଛି । ସକାଳଧୂପ କୋଠଭୋଗ ସହ, ପ୍ରଥମ ଭୋଗମଣ୍ଡପ,ମଧ୍ୟାହ୍ନଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ଓ ଆବଶ୍ୟକ ପଡିଲେ ସଂଧ୍ୟାଧୂପରେ ମହାପ୍ରସାଦ ବିତରଣ କରାଯିବ ବୋଲି ସୁଆର ମହାସୁଆର ନିଯୋଗର ସମ୍ପାଦକ କହିଛନ୍ତି । ଆଜି ପ୍ରଥମ ଦିନରେ ଗଞ୍ଜାମରୁ ଆସିଥିବା ଅର୍ପଣ ଚାଉଳର କାନିକା ଓ ଖେଚୁଡି ପ୍ରସ୍ତୁତ ହୋଇ ମହାପ୍ରଭୂଙ୍କ ପାଖରେ ଲାଗି ହେବାପରେ ଭକ୍ତ ମାନଙ୍କୁ ବଣ୍ଟାଯାଇଥିଲା । ଅର୍ପଣ ଚାଉଳରେ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ଓ ଏହାର ତତ୍ୱାବଧାନ ପାଇଁ ଏକ ସବକମିଟି ଗଠନ ହୋଇଛି । ଏହି କମିଟିର,ସୁଆର, ମହାସୁଆର ନିଯୋଗ ସଭାପତି, ସମ୍ପାଦକ,ପୂର୍ବତନ ନିଯୋଗର ସଭାପତି, ସମ୍ପାଦକ ପ୍ରମୁଖ ସଦସ୍ୟ ରହିଛନ୍ତି ।

ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରୁଥିବା ସୁପକାର ମାନେ କାନିକା ଓ ଖେଚୁଡି ପ୍ରସ୍ତୁତି କରିବେ । ତେବେ ପ୍ରତ୍ୟକଦିନ ପ୍ରାୟ ୧୦ ହଜାର ଭକ୍ତଙ୍କୁ ଅର୍ପଣ ଚାଉଳରେ ପ୍ରସ୍ତୁତ କାନିକା ଓ ଖେଚୁଡି ବଣ୍ଟାଯିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । ଭକ୍ତ ମାନଙ୍କ ଅର୍ପଣ ଚାଉଳ ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇ ମାଗଣାରେ ମହାପ୍ରସାଦ ପାଇବାର ସୁଯୋଗ ପାଇଥିବାରୁ ଭକ୍ତମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *