Pratidin TV

Odisha's Digital News Platform

ମହାରାଷ୍ଟ୍ରରେ ମହାୟୁତିର ବିଶାଳ ବିଜୟ; କିଏ ହେବ ମୁଖ୍ୟମନ୍ତ୍ରୀ ? ନୂଆ ଚେହେରା ନା ରିପିଟ ମୁହଁ….

1 min read

ମହାରାଷ୍ଟ୍ରରେ ମହାୟୁତିର ବିଶାଳ ବିଜୟ । ବିଜେପି ସୁନାମୀ, ସିନ୍ଦେ ଓ ଅଜିତଙ୍କ ପାଓ୍ବାର ଶୋ’ । ନା ଶାସନ ବିରୋଧୀ ଲହର କାମ ଦେଲା ନା ଅସଲି, ନକଲି ଓ ପ୍ରତାରଣା ପଲିଟିକ୍ସ । ବିଜେପି ସହ ସହଯୋଗୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାଓ୍ବାରଙ୍କ ଏନସିପିକୁ ମନଖୋଲି ସମର୍ଥନ ଜଣାଇଛନ୍ତି ମହାରାଷ୍ଟ୍ର ଜନତା । ସେପଟେ ବିରୋଧୀ ମହାବିକାଶ ଅଘାଡିକୁ ଲାଗିଛି ଜୋରଦାର ଝଟକା । ଲୋକସଭାର ସଫଳତାକୁ ରିପିଟ୍ କରିବାରେ ବିଫଳ ହୋଇଛି ମେଣ୍ଟ । ପାଓ୍ବାର ଓ ଠାକରେଙ୍କଠାରୁ ଜନତା ମୁହଁ ଫେରାଇଛନ୍ତି ତ ବଡ ସୁଯୋଗ ହରାଇଛନ୍ତି ରାହୁଲ ଗାନ୍ଧୀ ।

ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଓ ଆରଏସଏସ ମଧ୍ୟରେ ଭଲ ତାଳମେଳ ଦେଖିବାକୁ ମିଳିଛି । ଏହାର ଲାଭ ମହାୟୁତିକୁ ମିଳିଛି। ନିର୍ବାଚନ ପ୍ରଚାରରେ ନେତୃତ୍ବର ଫାଇଦା ବି ମେଣ୍ଟକୁ ମିଳିଛି । ପ୍ରଚାର ଅଭିଯାନରେ ଦେବେନ୍ଦ୍ର ଫଡନାବିସ ଓ ଏକନାଥ ସିନ୍ଦେଙ୍କୁ ଆଗରେ ଦେଖିବାକୁ ମିଳିଥିଲା । ବଡ଼ ବିଜୟ ସହ ମହାୟୁତି ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏବେ ମେଣ୍ଟ ପାଇଁ ବଡ଼ ଚିନ୍ତା ପାଲଟି ପାରେ । ମେଣ୍ଟ ସିନ୍ଦେକୁ ମୁଖ୍ୟମନ୍ତ୍ରୀ ଭାବେ ରିପିଟ୍ କରିବ ନା ୧୩୨ ଆସନ ଜିତିଥିବା ବିଜେପି ନିଜ ଦଳର ପ୍ରାର୍ଥୀକୁ ମୁଖ୍ୟମନ୍ତ୍ରୀ କରିବ ତାହା ଏବେ ରାଜନୈତିକ ଚର୍ଚ୍ଚାର କାରଣ ପାଲଟିଛି । ସେପଟେ ଅଜିତ ପାଓ୍ବାର ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାବି କରିପାରନ୍ତି ।

Advertisement

ବିଜେପି ନିଜର ମୁଖ୍ୟମନ୍ତ୍ରୀ କରିବ ନା ପୁଣି ଥରେ ଶିବସେନାର ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ, ଏହାକୁ ନେଇ ଚାଲିଛି ଅଙ୍କକଷା । ବିଜେପି ଏକାକୀ ୧୩୨ ସିଟ୍ ହାତେଇ ଥିବାରୁ ଏଥର ନିଜ ଦଳରୁ ଜଣକୁ ମୁଖ୍ୟମନ୍ତ୍ରୀ କରିବ ବୋଲି ଚର୍ଚ୍ଚା ହେଉଛି ।

କୁହାଯାଉଛି ଯେ, ମୁମ୍ବାଇରେ ନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକ ହେବ। ଏହି ସମୟରେ ବିଧାନସଭା ଦଳର ନେତା ମଧ୍ୟ ନିର୍ବାଚିତ ହେବେ। ତା’ପରେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନାଁ ଉପରେ ମୋହର ବାଜିବ। ଏଥିପାଇଁ ମହାୟୁତି ବିଧାୟକମାନେ ମୁମ୍ବାଇ ମୁହାଁ ହୋଇଛନ୍ତି। ମହାୟୁତିଙ୍କ ତିନିଟି ଦଳ ଆଜି ସେମାନଙ୍କର ନିଜସ୍ୱ ବୈଠକ କରିପାରନ୍ତି। ବିଧାୟକମାନେ ମୁମ୍ବାଇରେ ପହଞ୍ଚିବା ପରେ ବିଜେପି, ଏନସିପି ଏବଂ ଶିବସେନାର ପୃଥକ ବିଧାନସଭା ଦଳର ବୈଠକ ହେବ।

ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବିବାଦ ନ ଥିବା ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡ୍‌ନଭିସ କହିଛନ୍ତି। ମହାୟୁତି ମେଣ୍ଟରେ ଥିବା ଭାଜପା, ଶିବସେନା ଏବଂ ଏନ୍‌ସିପି ନେତାମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *