Pratidin TV

Odisha's Digital News Platform

ବଡ଼ ମେଡ଼ିକାଲରେ ବଡ଼ ଅବ୍ୟବସ୍ଥା ; ବେଡ୍ ନମିଳିବାରୁ ରାସ୍ତାକଡ଼ରେ ପଡ଼ି ରହିଛନ୍ତି କ୍ୟାନ୍ସର ପୀଡ଼ିତ

1 min read

କଟକ : ରାସ୍ତାକଡ଼ରେ ପଡ଼ି ରହିଛନ୍ତି କ୍ୟାନ୍ସର ପୀଡ଼ିତ ଓ ପତ୍ନୀ । ଏସ୍ସିବିରେ ହୃଦୟବିଦାରକ ଦୃଶ୍ୟ । କ୍ୟାନ୍ସର ପୀଡ଼ିତ ସ୍ବାମୀଙ୍କୁ ଧରି କଟକ ବଡ ଡାକ୍ତରଖାନା ରାସ୍ତାକଡ଼ରେ ତିନି ଦିନ ହେଲା ପଡ଼ି ରହିଛନ୍ତି ଜଣେ ମହିଳା । ୱାର୍ଡରେ ବେଡ୍ ମିଳୁନି କି ଆବଶ୍ୟକ ମୁତାବକ ପରୀକ୍ଷା ହୋଇପାରୁନି । ଅଲଟ୍ରାସାଉଣ୍ଡ ପରୀକ୍ଷା ହେବାପରେ ଯାଇ ପରବର୍ଷା ଚିକିତ୍ସା ହେବ ବୋଲି କୁହାଯାଉଛି । ସୋମବାର ଦିନ ଯାଇ ତାଙ୍କର ଅଲଟ୍ରାସାଉଣ୍ଡ କରାଯିବ ବୋଲି କୁହାଯାଇଛି । ପାଖରେ ଟଙ୍କା ପଇସା ନାହିଁ । ସ୍ଵାମୀ ଉଠିବସି ପାରୁ ନାହାନ୍ତି । ଏଭଳି ବିକଳ ସ୍ଥିତିରେ ବଡ ଡାକ୍ତରଖାନା ରାସ୍ତାରେ ଦମ୍ପତି ପଡ଼ି ରହିଥିବା ବେଳେ ଏହା ସରକାରୀ ସ୍ବାସ୍ଥ୍ୟସେବାର ଉଦବେଗ ଜନକ ଚିତ୍ରକୁ ସାମନାକୁ ଆଣିଛି । SCB ମେଡିକାଲ କଲେଜକୁ ବିଶ୍ଵସ୍ତରୀୟ କରିବା ପାଇଁ ସରକାର ପଦକ୍ଷେପ ନେଉଥିବା କଥା କହୁଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ଘଟଣା ତା’ର ପ୍ରମାଣ ଦେଉଛି ।

ସୂଚନା ଅନୁଯାୟୀ ଗଲା ଗୁରୁବାର ରାତିରେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବାଲିପାଟଣା ଅଞ୍ଚଳରୁ ଜନୈକ ବ୍ୟକ୍ତି ଏସ୍ସିବିକୁ ଆସିଥିଲେ । କିନ୍ତୁ ତାଙ୍କୁ ବେଡ୍ ମିଳି ନଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଆସିଥିଲେ। ସମ୍ପୃକ୍ତ ରୋଗୀଙ୍କ ପତ୍ନୀ କହିଛନ୍ତି ଯେ, ଗୁରୁବାର ରାତିରୁ ଏସସିବି ରଂଜନ ରଶ୍ମୀ ବିଭାଗ ସମ୍ମୁଖ ଆସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ଵାମୀଙ୍କୁ ବେଡ଼୍ ମିଳିନାହିଁ । ତାଙ୍କ ସ୍ବାମୀଙ୍କୁ କ୍ୟାନସର ହୋଇଥିବାରୁ ଘର ଲୋକ ଦୂରେଇ ଦେଇଛନ୍ତି । କିଡ଼ନିରେ ବି ଗୁରୁତର ସଂକ୍ରମଣ ରହିଛି ପରିସ୍ରା ପାଇଁ ପାଇପ ଲାଗିଛି । ତାଙ୍କର ଅଲଟ୍ରାସାଉଣ୍ଡ ପରେ ପରବର୍ତ୍ତୀ ଚିକିତ୍ସା କରାଯିବ ବୋଲି ଡାକ୍ତର କହିଛନ୍ତି । କିନ୍ତୁ ସୋମବାର ଯାଇ ଅଲଟ୍ରାସାଉଣ୍ଡ ହେବା ତାଙ୍କୁ ପ୍ରଥମେ ୟୁରୋଲୋଜି, ତା ପରେ ମେଡିସିନ ଓ ପରେ କାର୍ଡିଓଲୋଜି ବିଭାଗକୁ ଯିବା ପାଇଁ କୁହାଯାଇଥିଲା ।

ବର୍ଷାରେ ସେ ଏକା ସ୍ଵାମୀଙ୍କୁ ନେଇ ବିଭିନ୍ନ ବିଭାଗକୁ ଯାଇଥିଲେ । ହେଲେ ସେଠାରେ ବେଡ୍ ଥିଲେ ବି ତାଙ୍କୁ ଦିଆଯାଇ ନଥିଲା । ଫଳରେ ସେ ଏବେ ରାସ୍ତାକଡ଼ରେ ବର୍ଷାରେ ଅସୁସ୍ଥ ସ୍ବାମୀଙ୍କୁ ଧରି ଏସ୍ସିବି ରଂଜନ ରଶ୍ମୀ ବିଭାଗ ସମ୍ମୁଖରେ ପଡ଼ି ରହିଛନ୍ତି । ପାଖରେ ପଇସା ନାହିଁ ଘରୋଇ ଡାକ୍ତରଖାନାକୁ କେମିତି ଯିବୁ । ଶେଷରେ ସ୍ଵାମୀକୁ ନେଇ ଗାଁ’ କୁ ଫେରିଯିବି ଓ ସବୁ କାଗଜ ପତ୍ର ଜାଳି ଆତ୍ମହୁତି ଦେଇ ଦେବୁ ବୋଲି କହିଛନ୍ତି ରଶ୍ମିତା ।

Leave a Reply

Your email address will not be published. Required fields are marked *